ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ମଧ୍ୟରେ ଏହାର ତୀବ୍ରତା ବୃଦ୍ଧି ପାଉଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ବାତ୍ୟା ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ବାତ୍ୟାଟି ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ଆଡ଼କୁ ମୁହାଁଉଛି। IMDର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାତ୍ୟାଟି ବାପଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନମ୍ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
ପାଣିପାଗ ବିଭାଗର ସର୍ବଶେଷ ଆକଳନ ଅନୁସାରେ, ବର୍ତ୍ତମାନ ବାତ୍ୟାର କେନ୍ଦ୍ରସ୍ଥଳ ନିକଟରେ ପବନର ବେଗ ଘଣ୍ଟାପ୍ରତି ୧୩୦ ରୁ ୧୪୦ କିଲୋମିଟର ରହିଛି, ଯାହା ଝଟକା ସହ ୧୫୫ କିଲୋମିଟର ଛୁଉଁଛି। ତେବେ ଆଜି ପୂର୍ବାହ୍ନ ୧୧:୩୦ ରୁ ଅପରାହ୍ନ ୫:୩୦ ମଧ୍ୟରେ ସମୁଦ୍ର ମଧ୍ୟଭାଗରେ ଏହି ଝଡ଼ର ତାଣ୍ଡବ ବଢ଼ିବ ଏବଂ ପବନର ବେଗ ଘଣ୍ଟାପ୍ରତି ୧୫୦ ରୁ ୧୬୦ କିଲୋମିଟର ସହ ଝଟକା ୧୮୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଇଏମଡି ବୁଲେଟିନ୍ ଅନୁସାରେ, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ‘ଅର୍ଣ୍ଣବ’ ଏକ ଅତି ଭୀଷଣ ବାତ୍ୟା ଭାବେ ସକ୍ରିୟ ରହିବ।
ଆଜି ରାତି ପରେ ଏହି ସାମୁଦ୍ରିକ ଝଡ଼ର ତୀବ୍ରତା ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରିବ। ଆଜି ରାତି ୧୧:୩୦ ସୁଦ୍ଧା ପବନର ବେଗ ସାମାନ୍ୟ କମି ଘଣ୍ଟାପ୍ରତି ୧୩୫ ରୁ ୧୪୫ କିମି (ଝଟକା ୧୬୦ କିମି) ହେବ। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୮ ତାରିଖ ସକାଳ ୫:୩୦ ସୁଦ୍ଧା ଏହା ଆହୁରି ହ୍ରାସ ପାଇ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିମି (ଝଟକା ୧୫୦ କିମି) ହୋଇପାରେ।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହି ସିଷ୍ଟମ ଆହୁରି ଦୁର୍ବଳ ହୋଇ ଏକ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କି.ମି ମଧ୍ୟରେ ରହିବ। ଏହାପରେ ଅକ୍ଟୋବର ୨୯ ତାରିଖ ବେଳକୁ ବାତ୍ୟା ‘ଅର୍ଣ୍ଣବ’ ଆହୁରି ଶକ୍ତିହୀନ ହୋଇ ପ୍ରଥମେ ଗଭୀର ଅବପାତ ଏବଂ ପରେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।