ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ଅନେକ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଥିବା ଡ. ପୋମା ଟୁଡୁଙ୍କୁ ଓଡ଼ିଶା କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ସହିତ ତାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ (MD) ଦାୟିତ୍ୱ ମଧ୍ୟ ଅତିରିକ୍ତ ଭାବେ ଦିଆଯାଇଛି।
ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ଆରଡିସି (ସମ୍ବଲପୁର) ଏବଂ ଡବ୍ଲ୍ୟୁଓଡିସି (WODC) ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବର୍ତ୍ତମାନ କେବଳ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର (WODC) ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଥିବା ଶୁଭମ୍ ସାକ୍ସେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ନିକଟରେ ରାଜ୍ୟ ସରକାରଙ୍କ ସହ ଯୋଗ ଦେଇଥିବା ଡ. ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ପରିଚାଳନା ନିର୍ଦ୍ଦେଶକ କରାଯାଇଛି।
ସେହିପରି ପ୍ରାଣୀପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ତଥା ଓମ୍ଫେଡ୍ (OMFED)ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଥିବା ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଣତି ଛୋଟରାୟଙ୍କୁ ଓମ୍ଫେଡ୍ (OMFED)ର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଥିବା ସୁବ୍ର କୁମାର ପଣ୍ଡାଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ନିଯୁକ୍ତି କାର୍ଯ୍ୟକାରୀ ହେବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।