ଭୁବନେଶ୍ୱର: ମେ’ ୧୯ ତାରିଖରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଘଣ୍ଟା ରହିବେ । ରାଜ୍ୟ ବିଜେପି ନେତା ଓ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ପରଦିନ ଅର୍ଥାତ ୨୦ ତାରିଖରେ ପୁରୀ ଯାଇ ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦର୍ଶନ ସାରି ବଡ଼ଦାଣ୍ଡରେ ଏକ ବିଶାଳ ରୋଡ୍ ଶୋ’ କରିବେ । ରୋଡ୍ ଶୋ’ ସିଂହଦ୍ୱାରଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହେବ । ରୋଡ୍ ଶୋ’ରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ଏହି ସମୟରେ ସାରା ସହର କଡ଼ା ସୁରକ୍ଷା ଛାଉଣୀରେ ରହିବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏହାପରେ କଟକ ଓ ଅନୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି।