ମୁମ୍ବାଇ: ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା ମାୟାନଗରୀ ମୁମ୍ବାଇ । ଗୋଟେପଟେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚୁଥିବାବେଳେ ସେହି ସମୟରେ ଭାଙ୍ଗିପଡ଼ିଲା ଏକ ବିରାଟକାୟ ଲୁହାର ହୋର୍ଡିଂ । ଘାଟକୋପର ଅଞ୍ଚଳରେ ଏକ ବଡ଼ ବିଜ୍ଞାପନ ହୋର୍ଡିଂ ଖସିପଡ଼ି ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ପବନ ଓ ବର୍ଷା କାରଣରୁ ଘାଟକୋପର ଅଞ୍ଚଳରେ ପେଟ୍ରୋଲ ପମ୍ପ ଉପରେ ଲାଗିଥିବା ୧୦୦ ଫୁଟ ଉଚ୍ଚର ଏକ ବିରାଟ ବେଆଇନ ବିଜ୍ଞାପନ ହୋର୍ଡିଂ ଖସି ପଡ଼ିବାରୁ ଏହା ତଳେ ପ୍ରାୟ ୧୦୦ ଲୋକ ଚାପି ହୋଇ ରହିଯାଇଥିଲେ। ବିଏମସି କହିଛି ଯେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୩ ଜଣଙ୍କ ଚିକିତ୍ସା ଜାରି ରହିଥିବାବେଳେ ୩୧ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ଯ ଜାରି ରହିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଘାଟକୋପର ହୋର୍ଡିଂ ଘଟଣା ନେଇ ମୁମ୍ବାଇ ପୋଲିସ ‘ଇଗୋ ମିଡିଆ’ ନାମକ ସଂସ୍ଥାର ମାଲିକ ଏବଂ ଅନ୍ୟମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ବିଳମ୍ବିତ ରାତିରେ ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ମୁମ୍ବାଇ ସହରର ସମସ୍ତ ହୋର୍ଡିଂ ସମ୍ପର୍କରେ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ହୋର୍ଡିଂ ଖସି ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗ ପାଇଁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।