ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ରଥମ ଦଳ ଭାବେ ଆଇପିଏଲ୍ ପ୍ଲେ ଅଫରେ ପ୍ରବେଶ କଲା କୋଲକାତା ନାଇଟ୍ ରାଇଡର୍ସ

କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ପ୍ଲେଅଫରେ ପହଞ୍ଚିଛି । ଗତକାଲି ମୁମ୍ବାଇକୁ କୋଲକାତା ୧୮ ରନରେ ହରାଇଥିଲା । କୋଲକାତା ୭ ୱିକେଟରେ ୧୫୭ ରନ୍ କରିବା ପରେ ମୁମ୍ବାଇ ୮ ୱିକେଟରେ ୧୩୯ ରନ୍ କରି ପାରିଥିଲା ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଓଭର ସଂଖ୍ୟା ୨୦ରୁ ୧୬କୁ ହ୍ରାସ କରାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି କେକେଆରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ଦଳ ଶୃଙ୍ଖଳିତ ବୋଲିଂ କରିଥିବା ବେଳେ କେକେଆର୍ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ୧୫୭ ରନ୍ କରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୨୧ଟି ବଲରେ ୪୨ ରନ୍ କରିଥିଲେ ।

ଏହି ବିଜୟ ଲକ୍ଷ୍ୟ ଜବାବରେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ପାଞ୍ଚ ଥର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ ଷ୍ଟାର୍ଟ କରି ଏକଦା ୬.୪ ଓଭରରେ ବିନା କୌଣସି କ୍ଷତିରେ ୬୫ ରନ୍ କରିଥିଲା। ତେବେ କେକେଆରର ଷ୍ଟାର ସ୍ପିନର ନାରାୟଣ, ଇଶାନ କିଶନ (୨୨ ବଲ, ୪୦ ରନ)ଙ୍କ ଦ୍ବାରା ମୁମ୍ବାଇକୁ ମିଳିଥିବା ବିସ୍ଫୋରକ ଷ୍ଟାର୍ଟକୁ ରୋକିଥିଲେ।

ଚକ୍ରବର୍ତ୍ତୀ ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ରସେଲ୍ ୩୪ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ନେଇଥିଲେ। ଫଳ ସ୍ବରୂପ କେକେଆର୍ ୧୩ ତମ ଓଭର ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲା । ମୁମ୍ବାଇ ୧୬ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ୬୦ଟି ମ୍ୟାଚ୍ ଖେଳା ସରିଛି । ଆଉ ୧୦ଟି ମ୍ୟାଚ୍ ବାକି ଅଛି । କୋଲକାତା ପ୍ଲେଅଫରେ ପହଞ୍ଚି ସାରିଥିବା ବେଳେ ଆଉ ୩ଟି ସ୍ଥାନ ପାଇଁ ୭ଟି ଦଳ ମଧ୍ୟରେ ଟକ୍କର ହେଉଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ପ୍ଲେଅଫରୁ ବାଦ ପଡ଼ି ସାରିଛନ୍ତି ।କୋଲକାତା ୧୬ ପଏଣ୍ଟ ସହ ପ୍ରଥମ, ହାଇଦ୍ରାବାଦ ସନରାଇଜର୍ସ ୧୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହାପରେ ତିନିଟି ଦଳ ସମାନ ୧୨ ପଏଣ୍ଟ ପାଇ ପରବର୍ତ୍ତୀ ସ୍ଥାନରେ ରହିଥିବା ବେଳେ ଦୁଇଟି ଦଳ ୧୦ ପଏଣ୍ଟ ସହ ରହିଛନ୍ତି । କେକେଆର ୧୨ଟି ମ୍ୟାଚ୍ ଖେଳି ୯ଟିରେ ଜିତିଛି ।