ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ: ୧୧ ରାଜ୍ୟର ୯୪ ଲୋକସଭା ଆସନ ପାଇଁ ଚାଲିଛି ଭୋଟିଂ

ନୂଆଦିଲ୍ଲୀ: ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଏହି ୯୩ଟି ଆସନ ପାଇଁ ୧୩୦୦ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେଥିମଧ୍ୟରୁ ୧୨୦ ଜଣ ମହିଳା ହୋଇଥିବାବେଳେ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୧୧ କୋଟିରୁ ଅଧିକ।

ଏହି ପର୍ଯ୍ୟାୟରେ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (ଗାନ୍ଧିନଗର), ଜ୍ୟୋତିରାଦିତ୍ୟ ସିନ୍ଧିଆ (ଗୁନା), ମନସୁଖ ମାଣ୍ଡବ୍ୟ (ପୋରବନ୍ଦର), ପୁରୁଷୋତ୍ତମ ରୁପାଲା (ରାଜକୋଟ), ପ୍ରହ୍ଲାଦ ଯୋଶୀ (ଧରୱାଡ) ଏବଂ ଏସପି ସିଂ ବାଗେଲ (ଆଗ୍ରା) ପ୍ରମୁଖ ଅଛନ୍ତି।

କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନାଗର ହାବେଳୀ ଏବଂ ଦାମନ-ଦିୟୁ (୨ଟି ଆସନ) ସହ ମଧ୍ୟପ୍ରଦେଶର ୯ଟି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଏହି ସବୁ ଆସନରେ ମଧ୍ୟ ମଙ୍ଗଳବାର ଭୋଟ ପଡ଼ିବ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶାହ ଗାନ୍ଧିନଗର ଲୋକସଭା ଆସନ ଅନ୍ତର୍ଗତ ଅହମ୍ମଦାବାଦ ସହରର ଏକ ବୁଥରେ ଭୋଟ୍ ଦେଇଛନ୍ତି। ଏଥିପାଇଁ ଉଭୟ ନେତା ସୋମବାର ରାତିରେ ଗୁଜରାଟ ପହଞ୍ଚିଥିଲେ।

ତୃତୀୟ ପର୍ଯ୍ୟାୟ ପରେ ଲୋକସଭାର ୫୪୩ଟି ଆସନ ମଧ୍ୟରୁ ୨୮୩ରେ ନିର୍ବାଚନ ଶେଷ ହେବ। ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ମେ ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଅନୁଷ୍ଠିତ ହେବ।

ଏହି ପର୍ଯ୍ୟାୟରେ ଯେଉଁ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ସେଥିରେ ଗୁଜରାଟର ୨୫, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତର ପ୍ରଦେଶର ୧୦, ମଧ୍ୟପ୍ରଦେଶ ୯, ଛତିଶଗଡ ୭, ବିହାର ୫, ପଶ୍ଚିମବଙ୍ଗ ଏବଂ ଆସାମରେ ୪-୪ ଆସନ ଓ ଗୋଆର ଦୁଇଟି ଆସନ ରହିଛି |