ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଏକ ଛୋଟ ସହରରୁ ବାହାରି ଜାତୀୟ ଟେଲିଭିଜନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କାନନ ଟାଣ୍ଡି। ଓଡ଼ିଶାର ଏହି ଦକ୍ଷ ବଡି ଲାଙ୍ଗୁଏଜ୍ ଏକ୍ସପର୍ଟ ତଥା ମାଇକ୍ରୋ-ଏକ୍ସପ୍ରେସନ ରିଡର ନିକଟରେ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍ ୨୦’ ର ‘ୱିକେଣ୍ଡ କା ୱାର’ ଏପିସୋଡରେ ନଜର ଆସିଛନ୍ତି।
ସୁପରଷ୍ଟାର ସଲମାନ ଖାନଙ୍କ ସହ ମଞ୍ଚ ଶେୟାର କରି କାନନ ପ୍ରତିଯୋଗୀମାନଙ୍କ ଶରୀରର ଭାଷା, ମୁଖଭଙ୍ଗୀ ଏବଂ ଆଚରଣକୁ ବିଶ୍ଳେଷଣ କରିଥିଲେ। ବିଶେଷ କରି ପ୍ରତିଯୋଗୀ ମନୀଷ ଗୋୟଲଙ୍କ ପ୍ରତିକ୍ରିୟାକୁ ସେ କୃତ୍ରିମ ବୋଲି ଦର୍ଶାଇଥିଲେ। କାନନଙ୍କ ଅନୁଯାୟୀ, ମନୀଷଙ୍କ ପାଟି କରୁଥିବା ଶବ୍ଦ ଏବଂ ତାଙ୍କ ଶରୀରର ଭଙ୍ଗୀ ମଧ୍ୟରେ କୌଣସି ତାଳମେଳ ନଥିଲା। ସେହିପରି ସ୍କାଉଟ ଏବଂ ଲଭ୍ ଗିଲଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଥିବା ଅସ୍ୱାଭାବିକତାକୁ ମଧ୍ୟ ସେ ନିଖୁଣ ଭାବେ ଧରିଥିଲେ।
ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ବାସିନ୍ଦା ହେଉଛନ୍ତି କାନନ ଟାଣ୍ଡି। ସେ କେବଳ ଜଣେ ବଡି ଲାଙ୍ଗୁଏଜ୍ ଏକ୍ସପର୍ଟ ନୁହଁନ୍ତି, ବରଂ ଜଣେ ମନୋବିଜ୍ଞାନୀ ଏବଂ ‘ବଡି ସ୍ପିକ୍ସ ବେଟର’ (BodySpeaksBetter) ର ପ୍ରତିଷ୍ଠାତା। କାନନ ଭାରତର ପ୍ରଥମ ସାର୍ଟିଫାଇଡ୍ ମାଇକ୍ରୋ-ଏକ୍ସପ୍ରେସନ ଟ୍ରେନର ଭାବେ ମଧ୍ୟ ଜଣାଶୁଣା। ସେ ପଲ୍ ଏକମ୍ୟାନ୍ ଇଣ୍ଟରନ୍ୟାସନାଲ ଭଳି ପ୍ରତିଷ୍ଠିତ ସଂସ୍ଥାରୁ ତାଲିମ ଗ୍ରହଣ କରିଛନ୍ତି।
ଏହା କେବଳ ପ୍ରଥମ ଥର ନୁହେଁ, କାନନ ପୂର୍ବରୁ ବିଗ୍ ବସ୍ ବଙ୍ଗଳା ସଂସ୍କରଣରେ ମଧ୍ୟ କାମ କରିଛନ୍ତି। ସେଠାରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ମଧ୍ୟ ମଞ୍ଚ ଶେୟାର କରିବାର ସୁଯୋଗ ପାଇଥିଲେ। ଜଣେ TEDx ସ୍ପିକର ଭାବରେ ସେ ନିଜର ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛନ୍ତି।
ନିଜର ଏହି ନିଆରା କଳା ଏବଂ ପରିଶ୍ରମ ବଳରେ ସେ ଆଜି ଜାତୀୟ ସ୍ତରରେ ପ୍ରଶଂସିତ ହେଉଛନ୍ତି। ଏହି ଓଡ଼ିଆ ଝିଅଙ୍କ ସଫଳତା ଆଜି ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।