‘ୟୁନିଫାଇଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ’ ଶୁଭାରମ୍ଭ; ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିଲା ମଧୁବାବୁ ପେନସନ
ଭୁବନେଶ୍ୱର: ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସରଳ କରିବା ପାଇଁ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ବାଲେଶ୍ୱରର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ୟୁନିଫାଇଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ’ (UPMP) ର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ପେନସନ ଆବେଦନ ଠାରୁ ଆରମ୍ଭ କରି ଅର୍ଥ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଏକ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇଛି।
ସାଚୁରେସନ୍ ମୋଡ୍ ଅଭିଯାନ ଅଧୀନରେ ରାଜ୍ୟ ସରକାର ୫,୦୫,୮୧୭ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିବା ଯୋଗ୍ୟ ଆବେଦନକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଦ୍ୱାରା ଏହି ପୋର୍ଟାଲ ବିକଶିତ ହୋଇଛି।
ଏହି ନୂତନ ପୋର୍ଟାଲରେ ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଏବଂ ଅନ୍ୟାନ୍ୟ ପେନସନ ଯୋଜନାକୁ ଏକୀକୃତ କରାଯାଇଛି। ହିତାଧିକାରୀମାନେ upmp.odisha.gov.in କିମ୍ବା ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀମାନେ ନିଜେ କିମ୍ବା ଜନସେବା କେନ୍ଦ୍ର (CSC) ମାଧ୍ୟମରେ ଏହି ସୁବିଧା ପାଇପାରିବେ। ଏଥିରେ ଆଧାର ଭିତ୍ତିକ e-KYC ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଜାଲ୍ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇପାରିବ ଏବଂ କେବଳ ପ୍ରକୃତ ଯୋଗ୍ୟ ବ୍ୟକ୍ତି ସହାୟତା ପାଇବେ।
ଏହି ବ୍ୟବସ୍ଥାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ବୟସ ଅନୁସାରେ ସ୍ୱୟଂଚାଳିତ ପେନସନ ବୃଦ୍ଧି। ୮୦ ବର୍ଷ ବୟସ ହେବା ପରେ ଅଧିକ ପେନସନ ପାଇଁ ହିତାଧିକାରୀଙ୍କୁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ; ଏହା ପରବର୍ତ୍ତୀ ମାସରୁ ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବ। ଏହା ସହିତ ଶଯ୍ୟାଶାୟୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସରକାରୀ କର୍ମଚାରୀମାନେ ସେମାନଙ୍କ ଘରକୁ ଯାଇ ଯାଞ୍ଚ କରିବାର ବ୍ୟବସ୍ଥା କରାଯାଇଛି। ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ‘ସଚେତନତା ରଥ’ ମଧ୍ୟ ଶୁଭାରମ୍ଭ କରିଛନ୍ତି।