ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ଏଣିକି ଇଣ୍ଟରନେଟ୍ ଆଉ ବାଧକ ସାଜିବ ନାହିଁ ।ଏଣିକି କଲେଜରେ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ଶିକ୍ଷା ନେଟ୍’ (Odisha Education Net) ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ମାଗଣାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ପାଇପାରିବେ ।
ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ଆସନ୍ତା ତିନି ବର୍ଷ ମଧ୍ୟରେ ମୋଟ ୩୯୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ୨୦୨୬-୨୭ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ରାଜ୍ୟର ୬୦୧ଟି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୩୦ଟି କଲେଜରେ ଏହି ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି ।
ସରକାରଙ୍କ ନୂତନ ବ୍ୟବସ୍ଥା ଅନୁଯାୟୀ, କଲେଜ କ୍ୟାମ୍ପସ ମଧ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦିନକୁ ସର୍ବାଧିକ ୧ ଜିବି (1GB) ହାଇସ୍ପିଡ୍ ଡାଟା ମାଗଣାରେ ମିଳିବ । ଏହା ଫଳରେ ଆର୍ଥିକ ଅନଗ୍ରସର ଓ ମେଧାବୀ ଛାତ୍ରଛାତ୍ରୀମାନେ ଡାଟା ଖର୍ଚ୍ଚ ଚିନ୍ତା ନକରି ସହଜରେ ଅନଲାଇନ୍ ପାଠପଢ଼ା ଏବଂ ଗବେଷଣା ଜାରି ରଖିପାରିବେ ।
ଇଣ୍ଟରନେଟ୍ ସୁବିଧା ମିଳିବା ଦ୍ୱାରା ଛାତ୍ରଛାତ୍ରୀମାନେ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଏବଂ ଭର୍ଚୁଆଲ୍ କ୍ଲାସ୍ ରୁମ୍ ପରି ଆଧୁନିକ ସୁବିଧାର ସଦୁପଯୋଗ କରିପାରିବେ । ଏହା ବ୍ୟତୀତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଅନଲାଇନ୍ ଷ୍ଟଡି ମ୍ୟାଟେରିଆଲ୍ ଏବଂ ଗବେଷଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ଆଉ କୌଣସି ଅସୁବିଧା ଭୋଗିବେ ନାହିଁ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଥିବା ଡିଜିଟାଲ୍ ବ୍ୟବଧାନକୁ ଦୂର କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ।