ବାଲିଅନ୍ତାରେ ଯୁବକଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ବାଲିଅନ୍ତାରେ ପୁଣି ବର୍ବରତା, ଯୁବକଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପାଟଣା ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ସ୍ଥାନୀୟ ଗ୍ରାମର ରିଙ୍କୁ ମାର୍ଥା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୦ ତାରିଖ ଅପରାହ୍ନରେ କୌଣସି ଏକ ସାମାନ୍ୟ କଥାକୁ ନେଇ ସ୍ଥାନୀୟ ଦୁଇ ଭାଇଙ୍କ ସହ ରିଙ୍କୁଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ଧାରଣ କରିବାରୁ ଅଭିଯୁକ୍ତମାନେ ଏକ ଲୁହା ରଡ୍‌ ସାହାଯ୍ୟରେ ରିଙ୍କୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଏହି ସମଗ୍ର ଆକ୍ରମଣ ଘଟଣାଟି ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରି ଜଣଙ୍କୁ ଗିରଫ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ  ଧରିବା ପାଇଁ ବାଲିଅନ୍ତା ଥାନା ପୁଲିସ ଛାନଭିନ୍ ଜାରି ରଖିଛି।