ମିରଟ ‘ବ୍ଲୁ ଡ୍ରମ୍’ ହତ୍ୟାକାଣ୍ଡ: ସ୍ୱାମୀଙ୍କୁ ହତ୍ୟା କରି ଖଣ୍ଡଖଣ୍ଡ କରିଥିବା ସ୍ତ୍ରୀ ଏବଂ ତା’ର ପ୍ରେମିକକୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ: ମିରଟ ବ୍ଲୁ ଡ୍ରମ୍‌ ମର୍ଡର ମାମଲାରେ ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ । ଦୋଷୀ ପ୍ରେମୀ ଯୁଗଳ ସାହିଲ୍‌ ଓ ମୁସ୍କାନଙ୍କୁ ଫାଶୀ ଦଣ୍ଡାଦେଶ । ଉତ୍ତରପ୍ରଦେଶର ମିରଟ ଜିଲ୍ଲା କୋର୍ଟ ବହୁ ଚର୍ଚ୍ଚିତ ‘ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ’ ମାମଲାରେ ବୁଧବାର ଦିନ ଏହି ବଡ଼ ରାୟ ଶୁଣାଇଛନ୍ତି। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ନିର୍ମମ ଭାବେ ହତ୍ୟା କରିବା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲାଙ୍କୁ ମୃତ୍ୟୁଦଣ୍ଡ (ଫାଶୀ) ଆଦେଶ ଦେଇଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ କୋର୍ଟ ଏହି ଦୁଇ ଜଣଙ୍କୁ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ।

ପୋଲିସ ତଦନ୍ତ ଅନୁଯାୟୀ, ଗତ ମାର୍ଚ୍ଚ ୩, ୨୦୨୫ ତାରିଖରେ ମୁସ୍କାନ ତାଙ୍କ ସ୍ୱାମୀ ସୌରଭଙ୍କୁ ଖାଦ୍ୟରେ ନିଶା ବଟିକା ମିଶାଇ ଖାଇବାକୁ ଦେଇଥିଲେ। ସୌରଭ ବେହୋଶ ହୋଇଯିବା ପରେ ପ୍ରେମିକ ସାହିଲ ଘରେ ପହଞ୍ଚିଥିଲା। ଉଭୟ ମିଶି ସୌରଭଙ୍କୁ ଛୁରୀରେ ଭୁସି ହତ୍ୟା କରିବା ପରେ ବାଥରୁମ୍‌ରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ଶବରୁ ଯେପରି ଦୁର୍ଗନ୍ଧ ନ ବାହାରିବ, ସେଥିପାଇଁ ସେମାନେ ଏକ ବଡ଼ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍ ଆଣି ସେଥିରେ ଖଣ୍ଡ ବିଖଣ୍ଡିତ ଶରୀରକୁ ରଖିଥିଲେ। ଏହାପରେ ସେଥିରେ ବାଲି, ସିମେଣ୍ଟ ଏବଂ ପାଣି ମିଶାଇ ଡ୍ରମ୍‌ଟିକୁ ସିଲ୍ କରିଦେଇଥିଲେ।

ଏହି ମାମଲାଟି ମାର୍ଚ୍ଚ ୧୭, ୨୦୨୫ ରେ କୋର୍ଟରେ ପହଞ୍ଚିଥିଲା। ପ୍ରାୟ ୧୩ ମାସ ଧରି ଚାଲିଥିବା ଏହି ବିଚାର ପ୍ରକ୍ରିୟାରେ କୋର୍ଟରେ ୧୨୬ ଥର ଶୁଣାଣି ହୋଇଥିଲା ଏବଂ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରୀ ଓକିଲ ବିଜୟ ବାହାଦୁର କହିଛନ୍ତି ଯେ, ମାମଲାଟି ସମ୍ପୂର୍ଣ୍ଣ ରୂପେ ପାରିପାର୍ଶ୍ୱିକ ପ୍ରମାଣ ଉପରେ ଆଧାରିତ ଥିଲା ଏବଂ ସମସ୍ତ ସାକ୍ଷ୍ୟ ପ୍ରମାଣ ଅଭିଯୁକ୍ତଙ୍କ ବିରୋଧରେ ଯାଇଥିଲା। ସ୍ଥାନୀୟ ଦୋକାନୀମାନେ ନୀଳ ଡ୍ରମ୍, ସିମେଣ୍ଟ, ବାଲି ଏବଂ ଛୁରୀ ବିକ୍ରି କରିଥିବା ନେଇ କୋର୍ଟରେ ସାକ୍ଷ୍ୟ ଦେଇଥିଲେ। ଏହାବ୍ୟତୀତ, କଲ୍ ଡିଟେଲ୍ସ ରେକର୍ଡ (CDR) ଏବଂ ମୋବାଇଲ୍ ଲୋକେସନରୁ ହତ୍ୟା ସମୟରେ ସାହିଲ ଉକ୍ତ ଘରେ ଉପସ୍ଥିତ ଥିବା ପ୍ରମାଣିତ ହୋଇଥିଲା। ହତ୍ୟା ପରେ ଉଭୟ ହିମାଚଳ ପ୍ରଦେଶର ଶିମଲା ଏବଂ ମନାଲି ବୁଲିବାକୁ ମଧ୍ୟ ଯାଇଥିଲେ।

ଏହି ଘଟଣାରେ ସୌରଭଙ୍କ ବଡ଼ ଭାଇ ରାହୁଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ତାଙ୍କ ପରିବାର କେବଳ ନ୍ୟାୟ ଚାହୁଁଥିଲା। ସେ କହିଥିଲେ, ଆମେ ଗୋଟିଏ କଥା ଚାହୁଁ, ସେମାନେ ମୋ ଭାଇ ସହିତ ଯାହା କଲେ, ସେମାନଙ୍କ ସହିତ ମଧ୍ୟ ସମାନ ଦଣ୍ଡ ମିଳିବା ଉଚିତ୍। କୋର୍ଟଙ୍କ ଏହି କଠୋର ଦଣ୍ଡାଦେଶ ପରେ ପୀଡ଼ିତ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିପାରିଛି।