ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବାଣୀବିହାର କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ହଠାତ୍ ସଂଘର୍ଷ ହେବା ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ଖେଳିଯାଇଛି।
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଆଜି କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକ ପୂର୍ବରୁ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆସନ୍ତା ଗୁରୁବାର ଅର୍ଥାତ୍ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜିର ଘଟଣା କ୍ୟାମ୍ପସରେ ଭୟ ଏବଂ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି।
ତେବେ ଏହି ସଂଘର୍ଷର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। କେଉଁ କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେ ସେ ନେଇ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଛନ୍ତି ।