ଭୁବନେଶ୍ୱର: ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ରାସ୍ତାରେ ଆତଙ୍କ ଖେଳାଇଲା ଏସୟୁଭି । ଘଟାଇଲା ସିରିଜ ଦୁର୍ଘଟଣା । ଏକ ଦ୍ରୁତଗାମୀ ଏସୟୁଭି (Scorpio SUV) କାର ପ୍ରାୟ ୧୦ଟି ଗାଡ଼ିକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କଳା ରଙ୍ଗର ଏକ ସ୍କର୍ପିଓ ପ୍ରଥମେ ନୂଆଗାଁ ଛକ ନିକଟରେ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗାଡ଼ିଟିକୁ ପିଛା କରିଥିଲେ ମଧ୍ୟ ଚାଳକ ଜଣକ ଗାଡ଼ି ନ ଅଟକାଇ ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲେ। ଏହି କ୍ରମରେ ଦ୍ରୁତଗାମୀ ଗାଡ଼ିଟି ରାସ୍ତାରେ ଯାଉଥିବା ଆହୁରି ୯ଟି ଗାଡ଼ିକୁ ଧକ୍କା ଦେଇଥିଲା। ଶେଷରେ ସମ୍ ହସ୍ପିଟାଲ (SUM Hospital) ମୁଖ୍ୟ ଫାଟକ ନିକଟରେ ଥିବା ଏକ ଡିଭାଇଡରରେ ପିଟି ହୋଇ ଗାଡ଼ିଟି ଅଟକି ଯାଇଥିଲା।
ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଗାଡ଼ି ଚାଳକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଗାଡ଼ିରେ ଡ୍ରାଇଭରଙ୍କ ସମେତ ମୋଟ ୪ ଜଣ ବ୍ୟକ୍ତି ଥିଲେ ଏବଂ ସେମାନେ ପ୍ରବଳ ମଦ୍ୟପାନ କରିଥିଲେ। ଲୋକେ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଖବର ପାଇ ଭୁବନେଶ୍ୱର ଡିସିପି (DCP) ଶ୍ରବଣ ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଆଗେଇଲେ ଦୁର୍ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଡିସିପି ସୂଚନା ଦେଇଛନ୍ତି।