ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) କ୍ୟାମ୍ପସରେ ରବିବାର ବିଳମ୍ବିତ ରାତିରେ ଏକ ବୋମା ବିସ୍ଫୋରଣ ଭଳି ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି। ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଘଟଣା ସାଧାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧:୩୦ ସମୟରେ ବିଶ୍ୱବିଦ୍ୟାଳୟର ୧ ନମ୍ବର ବାଳକ ଛାତ୍ରାବାସ (ବୟେଜ୍ ହଷ୍ଟେଲ ନମ୍ବର ୧) ନିକଟରେ ଏହି ବଡ଼ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଶବ୍ଦ ଏତେ ଭୟଙ୍କର ଥିଲା ଯେ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ଇତସ୍ତତଃ ଦୌଡ଼ିବାକୁ ଲାଗିଥିଲେ। ତେବେ ଏହା ପ୍ରକୃତରେ ଏକ ବୋମା ଥିଲା ନା କୌଣସି ଶକ୍ତିଶାଳୀ ବାଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।
ଏହି ଘଟଣାକୁ ନେଇ କ୍ୟାମ୍ପସରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରଚାର କରୁଥିବା ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବେ ଏହି ବୋମାମାଡ଼ କରିଛନ୍ତି। ଘଟଣା ପରେ ଶତାଧିକ ଛାତ୍ର ୧ ନମ୍ବର ଛାତ୍ରାବାସ ବାହାରେ ଏକାଠି ହୋଇ ନାରାବାଜି କରିଥିଲେ। ପରେ ବିସିଜେଡିର କର୍ମକର୍ତ୍ତାମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ଘେରାଉ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
ଖବର ପାଇ ଭୁବନେଶ୍ୱର ଡିସିପି, ଏସିପି ସ୍ତରୀୟ ଅଧିକାରୀ ଏବଂ ସଶସ୍ତ୍ର ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ବିସିଜେଡି ପ୍ରତିନିଧିମାନେ ଏହି ପ୍ରସଙ୍ଗରେ ଡିସିପିଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପରେ ଡିସିପି ନିଜେ ୧ ନମ୍ବର ଛାତ୍ରାବାସ ପରିଦର୍ଶନ କରି ଯେଉଁ ସ୍ଥାନରୁ ଶବ୍ଦ ଆସିଥିଲା, ସେହି ଅଞ୍ଚଳର ଯାଞ୍ଚ କରିଥିଲେ। ସୋମବାର ଦିନ ଏହି ଘଟଣାର ଅଧିକ ତଦନ୍ତ କରାଯାଇ ପ୍ରକୃତ କାରଣ ଖୋଜି ବାହାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।