ଆଜି ପବିତ୍ର ମହାଳୟା; ଶ୍ରଦ୍ଧା ଓ ଭକ୍ତିର ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ଶ୍ରଦ୍ଧା ଓ ଭକ୍ତିର ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା ରହିଛି । ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ସମଗ୍ର ଓଡ଼ିଶାରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ମହାଳୟା ଅମାବାସ୍ୟା ପାଳନ କରାଯାଉଛି। ଏହି ପବିତ୍ର ତିଥିରେ ଶ୍ରଦ୍ଧାଳୁମାନେ ନିଜ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିତୃ ତର୍ପଣ ଏବଂ ଶ୍ରାଦ୍ଧ ଅର୍ପଣ କରିଥାନ୍ତି ।

ଏହି ପବିତ୍ର ଅବସରରେ ପିତୃପକ୍ଷର ଅବସାନ ଘଟିବା ସହ ଦେବୀପକ୍ଷର ଶୁଭାରମ୍ଭ ହୋଇଥାଏ। ଏହାସହ ଆଗାମୀ ଦୁର୍ଗାପୂଜା ଋତୁର ଆଗମନର ବାର୍ତ୍ତା ମଧ୍ୟ ଆଣିଦେଇଛି। ପରମ୍ପରା ଅନୁଯାୟୀ, ଶ୍ରଦ୍ଧାଳୁମାନେ ନିଜର ଦିବଙ୍ଗତ ପିତୃପୁରୁଷଙ୍କ ଆତ୍ମାର ସଦ୍‌ଗତି ଏବଂ ଶାନ୍ତି କାମନା କରି ଜଳ, ଅନ୍ନ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଅର୍ପଣ କରିବା ସହ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ରାଜଧାନୀ ଭୁବନେଶ୍ୱରର ବିନ୍ଦୁସାଗର ଏବଂ ପୁରୀ ଶ୍ରୀମନ୍ଦିରର ବାଇଶି ପାହାଚ ଭଳି ପବିତ୍ର ସ୍ଥାନଗୁଡ଼ିକରେ ହଜାର ହଜାର ଭକ୍ତ ରୁଣ୍ଡ ହୋଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରିଛନ୍ତି।

ଆଜିର ଏହି ମହାଳୟା ତିଥିରେ ବଲାଙ୍ଗୀରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ସୁଦୃଶ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ମା’ଙ୍କର ଏହି ସ୍ୱତନ୍ତ୍ର ବେଶ କେବଳ ବର୍ଷକେ ଥରେ, ଅର୍ଥାତ୍ ମହାଳୟା ଦିନ ହିଁ ହୋଇଥାଏ। ବିଶ୍ୱାସ ରହିଛି ଯେ, ଶ୍ୱେତ ବସ୍ତ୍ର ପରିହିତ ମା’ ସମଲେଶ୍ୱରୀଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ ଭକ୍ତମାନେ ଅଶେଷ ପୁଣ୍ୟ ଲାଭ କରିଥାନ୍ତି।

ମହାଳୟା ଦିନରୁ ହିଁ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଆଶ୍ୱିନ ଅମାବାସ୍ୟା ତଥା ପିତୃପକ୍ଷର ଅନ୍ତିମ ଦିବସରେ ପାଳିତ ହେଉଥିବା ଏହି ପର୍ବ ପରେ, ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।