CECଙ୍କ ଇସ୍ତଫା ଦାବି: ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ପଦଯାତ୍ରାରେ ସାମିଲ ହେଲା ବିଜେଡି

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ବା ଏସଆଇଆର (SIR) ଏବଂ ସାରା ଦେଶରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ କାଟିବା ଅଭିଯୋଗକୁ ନେଇ ନୂଆଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ପ୍ରତିବାଦ ଶୋଭାଯାତ୍ରାରେ ଆଜି ବିଜୁ ଜନତା ଦଳ (ବିଜେଡି) ସାମିଲ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଭାରତୀୟ ନିର୍ବାଚନ ଆୟୋଗ (ECI) କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ଏହି ମାର୍ଚ୍ଚରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ କହିଛନ୍ତି ଯେ, ଏସଆଇଆର ପ୍ରକ୍ରିୟାରେ ବିବାଦୀୟ ନିଷ୍ପତ୍ତି ପାଇଁ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ନିମନ୍ତେ ପୂର୍ବରୁ ନବୀନ ପଟ୍ଟନାୟକ ଦାବି କରିସାରିଛନ୍ତି। ନିର୍ବାଚନୀ ତାଲିକା ସଂଶୋଧନ ସମୟରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଏବଂ ସାରା ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ କାଟି ଦିଆଯାଇଥିବା ନେଇ ଦଳ ଘୋର ଉଦ୍ବେଗ ପ୍ରକାଶ କରିଛି।

ଏହାସହ ଧାମନଗରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟରଙ୍କ ନାମ ବିଏଲଓ (BLO) ମାନଙ୍କ ଅଜାଣତରେ କାଟି ଦିଆଯାଇଥିବା ଦଳ ଅଭିଯୋଗ କରିଛି, ଯାହା ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ଏବଂ ଫର୍ମ ୬ ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ମଧ୍ୟ ଏହି ପ୍ରସଙ୍ଗରେ ସନ୍ଦେହ ବଢ଼ାଇଛି।

ବିଜେଡି ସାଂସଦ ସୁଲତା ଦେଓ ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରତିବାଦରେ ସାମିଲ ହେବା ଅର୍ଥ ଇଣ୍ଡିଆ (INDIA) ବା ଏନଡିଏ (NDA) ମେଣ୍ଟରେ ସାମିଲ ହେବା ନୁହେଁ। ଆମେ ଏକ ଦାୟିତ୍ୱବାନ ରାଜନୈତିକ ଦଳ ବୋଲି ସେ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ବିଜେପି ନିର୍ଦ୍ଦେଶରେ ସେ ଏଭଳି କରୁଥିବା ଅଭିଯୋଗ କରି ଶ୍ରୀମତୀ ଦେଓ କହିଛନ୍ତି ଯେ, ଓଡ଼ିଶାରେ ୨୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ଇଚ୍ଛାକୃତ ଭାବେ କାଟି ଦିଆଯାଇଛି।