ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ।୧୬ରେ ଶପଥଗ୍ରହଣ ସମାରୋହ। ଗଣମାଧ୍ୟମକୁ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଓଡ଼ିଶାରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କ୍ୟାମ୍ପସ୍ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଭୋଟ୍ ଗ୍ରହଣ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଖୁବ୍ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଏକ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଘୋଷଣା ପରେ ରାଜ୍ୟର ଛାତ୍ର ନେତା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଘୋଷିତ ସୂଚୀ ଅନୁଯାୟୀ, ଆସନ୍ତା ଅକ୍ଟୋବର ୭ ତାରିଖରେ କଲେଜଗୁଡ଼ିକ ପକ୍ଷରୁ ଆନୁଷ୍ଠାନିକ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି ଅକ୍ଟୋବର ୧୩ ତାରିଖରେ କ୍ୟାମ୍ପସରେ ପ୍ରାର୍ଥୀମାନଙ୍କ ଦ୍ୱାରା ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର’ (Why I Stand For) ସଭା ଅନୁଷ୍ଠିତ ହେବ ଯେଉଁଥିରେ ସେମାନେ ନିଜର ଆଭିମୁଖ୍ୟ ରଖିବେ।
ନିର୍ଦ୍ଧାରିତ ସୂଚୀ ଅନୁସାରେ ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ହେବ। ଏହାପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ପାଇଁ ଅକ୍ଟୋବର ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ।