ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ଅତ୍ୟନ୍ତ ନିଷ୍ଠୁର ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଯୁବକ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଏକ ଗଛକଟା କରତ ବା ଚେନ୍-ସ’ (Chainsaw) ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳାଇ ଦେଇଛି।
ରିପୋର୍ଟ ଅନୁଯାୟୀ, ରାପ୍ତଡୁ ସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲରେ ଶନିବାର ସକାଳ ସମୟରେ ପାଠପଢ଼ା ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଅଭିଯୁକ୍ତ ଯୁବକ ଜଣକ ହଠାତ ଶ୍ରେଣୀ ଗୃହରେ ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ସମ୍ପୃକ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଅନ୍ୟ ଜଣେ ସହପାଠୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାର ଖବର ପାଇ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ପୋଲିସ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଚଳାଇ ତାଙ୍କୁ କାବୁ କରିବାରେ ସଫଳ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ପୂର୍ବ ଯୋଜନା ଅନୁଯାୟୀ ଏହି କାଣ୍ଡ ଭିଆଇଥିଲେ।
ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଆହତ ଛାତ୍ରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଅନ୍ୟପଟେ, ଜଣେ ବାହାର ବ୍ୟକ୍ତି କିଭଳି ଏକ ଶକ୍ତିଶାଳୀ ମାରଣାସ୍ତ୍ର ଧରି ବିଦ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କଲେ, ତାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ବର୍ତ୍ତମାନ ଆକ୍ରମଣର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।