ଦର୍ଶକଙ୍କ ପାଇଁ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ସ୍ନୋ ପାର୍କ ସହ ଥ୍ରିଡି ମୁଭି ଓ ଭୂତ ବଙ୍ଗଳା ବୁଲିବାକୁ ଟିକେଟ୍ ଦର ୨୯୫ ଟଙ୍କା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ନବକଳେବର କଳିଙ୍ଗ ଷ୍ଟୁଡିଓ ପୁଣିଥରେ ଦର୍ଶକଙ୍କ ପାଇଁ ଖୋଲିଛି। ପାର୍ବଣ ଋତୁରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କର୍ତ୍ତୃପକ୍ଷ ଉଭୟ ପରିଦର୍ଶକ ଏବଂ ସୁଟିଂ ପାଇଁ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ବିଧିବଦ୍ଧ ଭାବେ ଗତ ୨୦ ତାରିଖ ମଙ୍ଗଳବାରଠାରୁ ଷ୍ଟୁଡିଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି । ବୁଲିବା ପାଇଁ ଧାର୍ଯ୍ୟ ସମୟ ସହ ସ୍ୱତନ୍ତ୍ର ଟିକଟ୍ ବ୍ୟବସ୍ଥା କରାଯାଇଛି । ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ସ୍ନୋ- ପାର୍କ, ମୁଭି ମ୍ୟାଜିକ୍ (ଥ୍ରିଡି ମୁଭି) ଏବଂ ଆଡ୍ଭେଞ୍ଚର ଲ୍ୟାଣ୍ଡ୍ (ଭୂତ ବଙ୍ଗଳା) ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଟିକଟ୍ ରହିଛି । ତେବେ ପ୍ରଦର୍ଶିତ ହୋଇଥିବା ଟିକେଟ୍ ଦର ତାଲିକା ଅନୁଯାୟୀ, କଳିଙ୍ଗ ଷ୍ଟୁଡିଓର ସାଧାରଣ ପ୍ରବେଶ ଟିକେଟ୍ ଦାମ୍ ୨୦ ଟଙ୍କା ରହିଛି। ସ୍ନୋ ପାର୍କ ପ୍ରବେଶ ପାଇଁ ୧୫୦ ଟଙ୍କା, ୩ଡି ଚଳଚ୍ଚିତ୍ର ଦେଖିବା ପାଇଁ ୧୦୦ ଟଙ୍କା ଏବଂ ଆଡଭେଞ୍ଚର ଲ୍ୟାଣ୍ଡ ବା ଘୋଷ୍ଟ ହାଉସ୍ ପାଇଁ ୨୫ ଟଙ୍କା ଟିକେଟ୍ ଦର ଉଲ୍ଲେଖ ରହିଛି।
ଟିକେଟ୍ ଦର ଓ ଆକର୍ଷଣ
ଷ୍ଟୁଡିଓ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ଟିକେଟ୍ ହାର ଅନୁଯାୟୀ, ଷ୍ଟୁଡିଓରେ ସାଧାରଣ ପ୍ରବେଶ ପାଇଁ ପ୍ରବେଶ ଶୁଳ୍କ ବ୍ୟକ୍ତି ପିଛା ୨୦ ଟଙ୍କା ରଖାଯାଇଛି, ଯାହା ବାଧ୍ୟତାମୂଳକ ଅଟେ। ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ଯଥା- ସ୍ନୋ ପାର୍କ, ୩ଡି ମୁଭି ମ୍ୟାଜିକ୍ ଏବଂ ଆଡଭେଞ୍ଚର ଲ୍ୟାଣ୍ଡ ଘୋଷ୍ଟ ବଙ୍ଗଳା ପାଇଁ ସ୍ୱତନ୍ତ୍ର ଟିକେଟ୍ ଦର ସ୍ଥିର କରାଯାଇଛି। ସ୍ନୋ ପାର୍କ ପାଇଁ ଟିକେଟ୍ ଫି ୧୫୦ ଟଙ୍କା ଥିବା ବେଳେ ୩ଡି ଫିଲ୍ମ ପାଇଁ ୧୦୦ ଟଙ୍କା ଏବଂ ଘୋଷ୍ଟ ବଙ୍ଗଳା ପାଇଁ ୨୫ ଟଙ୍କା ରହିଛି। ଜଣେ ଦର୍ଶକ ୨୭୫ ଟଙ୍କା ଦେଇ ଏହି ତିନୋଟି ସ୍ଥାନର ମଜା ନେଇପାରିବେ। ପ୍ରବେଶ ଟିକେଟ୍ ସମେତ ସମ୍ପୂର୍ଣ୍ଣ ଷ୍ଟୁଡିଓ ବୁଲିବା ପାଇଁ ମୋଟ ୨୯୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ପରିଦର୍ଶନ ସମୟ ଓ ସ୍ଲଟ୍
ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୦ ତାରିଖରେ ଏହି ଷ୍ଟୁଡିଓକୁ ସାଧାରଣ ଲୋକଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲାଯାଇଥିଲା। ଦର୍ଶକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ସକାଳ ୧୦ଟାରୁ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଭିତରକୁ ଯିବାକୁ ଅନୁମତି ଦିଆଯିବ। ପ୍ରତ୍ୟେକ ପର୍ଯ୍ୟାୟରେ ୭ଟି ସ୍ଲଟ୍ ରହିଥିବା ବେଳେ ମୋଟ ୧୪ଟି ସ୍ଲଟ୍ ରହିଛି। ପ୍ରତ୍ୟେକ ସ୍ଲଟ୍ ର ଅବଧି ୨୫ ମିନିଟ୍ ଅଟେ। ସ୍ନୋ ପାର୍କ କେବଳ ନିର୍ଦ୍ଧାରିତ ସ୍ଲଟ୍ ସମୟରେ ହିଁ କାର୍ଯ୍ୟ କରିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। ଟିକେଟ୍ ଫେରସ୍ତ କିମ୍ବା ପରିବର୍ତ୍ତନ କରାଯିବ ନାହିଁ।
ଆଧୁନିକୀକରଣ ଓ ଉଦଘାଟନ
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତାକୁ ପୂରଣ କରିବା ପାଇଁ କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ କରାଯାଇଛି। ଚଳିତ ମାସ ଆରମ୍ଭରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନବୀକରଣ ହୋଇଥିବା କଳିଙ୍ଗ ଷ୍ଟୁଡିଓର ଉଦଘାଟନ କରିଥିଲେ।