ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ଅକ୍ଟୋବର ୧୦ ରେ ଡାକରା ଦିଆଯାଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ନେଇଛି। ଷ୍ଟେସନ ଆଖପାଖ ଅଞ୍ଚଳରେ ପ୍ରବଳ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ଅକ୍ଟୋବର ୧୦ ତାରିଖ ସକାଳ ୪ଟାରୁ ଦିନ ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା ସମସ୍ତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ଗୁଡ଼ିକୁ ବାତିଲ କରାଯାଇଛି।
ସୂତ୍ର ଅନୁଯାୟୀ, ଅକ୍ଟୋବର ୯ ଅପରାହ୍ନ ୨ଟା ପରେ ବାହାରିବାକୁ ଥିବା ଏବଂ ଅକ୍ଟୋବର ୧୦ ସକାଳ ୪ଟାରୁ ଦିନ ୨ଟା ମଧ୍ୟରେ ନୂଆଦିଲ୍ଲୀ କିମ୍ବା ହଜରତ ନିଜାମୁଦ୍ଦିନରେ ପହଞ୍ଚିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ୍ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ସମସ୍ୟାରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଗୁଇନ୍ଦା ବିଭାଗ ଓ ଟ୍ରାଫିକ୍ ଆଡଭାଇଜୋରିକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ପଶ୍ଚିମ ମଧ୍ୟ ରେଳବାଇର ଭୋପାଳ ଡିଭିଜନ୍ ପରିଚାଳନାଗତ କାରଣରୁ ଅକ୍ଟୋବର ୯ ତାରିଖରେ ଟ୍ରେନ୍ ନମ୍ବର ୨୨୨୨୧ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ (ମୁମ୍ବାଇ)-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍ କୁ ବାତିଲ କରିଛି।
ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କ ଜବାବଦେହିତା ଏବଂ “ଭୋଟ୍ ଚୋରି” ଅଭିଯୋଗକୁ ନେଇ ଜନ୍ତର ମନ୍ତର ଠାରେ ସିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା ରହିଥିଲା। ତେବେ ଦିଲ୍ଲୀ ପୋଲିସ ଏହି ବିକ୍ଷୋଭ ପାଇଁ ଅନୁମତି ପ୍ରତ୍ୟାଖ୍ୟାନ କରିଛି। ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ନୂପୁର ପ୍ରସାଦ କହିଛନ୍ତି ଯେ ସିଜେପିର ସହ-ଆବାହକ ସୌରଭ ଦାସଙ୍କ ପକ୍ଷରୁ ଆବେଦନ ଗ୍ରହଣ କରାଯାଇଥିଲା। କିନ୍ତୁ ବିକ୍ଷୋଭ ପାଇଁ ଅତି କମ୍ ସମୟ (୧୦ ଦିନରୁ କମ୍) ପୂର୍ବରୁ ସୂଚନା ଦିଆଯାଇଥିବା, ଅତୀତରେ ଆଇନଗତ ନିର୍ଦ୍ଦେଶକୁ ଅବମାନନା କରିଥିବା ଏବଂ ସାଧାରଣ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ କାରଣରୁ ଏହି ଅନୁମତିକୁ ନାକଚ କରିଦିଆଯାଇଛି।
ଆଗାମୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ବିଭିନ୍ନ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଗାଜିପୁର, ଚିଲ୍ଲା, ଟିକ୍ରି, ସିଂଘୁ, ଗୁରୁଗ୍ରାମ, କାପାସେରା, ଲୋନି ଏବଂ ବଦରପୁର ସୀମାରେ ପୋଲିସ ତୀକ୍ଷ୍ଣ ନଜର ରଖିଛି। ନୂଆଦିଲ୍ଲୀ ଅଞ୍ଚଳରେ ସାଧାରଣ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୬୩ ଲାଗୁ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।