ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର । ନୂଆ ଦାୟିତ୍ୱରେ ଅନେକ ବରିଷ୍ଠ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବଡ଼ ଧରଣର ଓଏଏସ୍ (OAS) ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୂତନ ବିଭାଗ ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ଶ୍ରମ ଓ ଇଏସଆଇ (ESI) ବିଭାଗର ଅତିରିକ୍ତ ଶାସନ ସଚିବ ତଥା ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଭାବେ ବଦଳି ହୋଇଥିବା ଓଏଏସ୍ ନିବେଦିତା ବିଶ୍ୱାଳଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି। ବର୍ତ୍ତମାନ ତାଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ଦିଆଯାଇଛି।
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ଥିବା ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI) ର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।
ଏହା ବ୍ୟତୀତ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର୍ ତଥା ନିକଟରେ ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିବା ଓଏଏସ୍ କୁକୁମିନା ଦାସଙ୍କୁ ବାରିପଦାସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ (P.D., R&R) ଭାବେ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି।