ଅକ୍ଟୋବରରେ ମେ’ ମାସର ଅନୁଭୂତି: ଅସମ୍ଭାଳ ତାତିରେ ସିଝୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅକ୍ଟୋବର ମାସରେ ଅସ୍ୱାଭାବିକ ଗରମ ଅନୁଭୂତ ହେଉଛି। ସୋମବାର ତୁଳନାରେ ମଙ୍ଗଳବାର ଦିନ ତାପମାତ୍ରା ଆହୁରି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଅକ୍ଟୋବର ମାସରେ ମେ’ ମାସ ଭଳି ତାତି ଅନୁଭୂତ ହେଉଥିବାରୁ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନ ୧୧:୩୦ ସୁଦ୍ଧା ଅଧିକାଂଶ ଉପକୂଳ ସହରରେ ତାପମାତ୍ରା ଊର୍ଦ୍ଧ୍ୱଗାମୀ ରହିଛି। ପୁରୀରେ ସୋମବାର ସମାନ ସମୟରେ ତାପମାତ୍ରା ୩୪.୨ ଡିଗ୍ରୀ ସେଲସିୟସ୍ ଥିବା ବେଳେ ମଙ୍ଗଳବାର ଏହା ୩୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ଏଠାରେ ସୋମବାର ୩୩.୬ ଡିଗ୍ରୀ ଥିବା ବେଳେ ମଙ୍ଗଳବାର ଦିନ ୧୧:୩୦ ସୁଦ୍ଧା ୩୪.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ଅନ୍ୟ ସହରଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଚାନ୍ଦବାଲିରେ ତାପମାତ୍ରା ୩୩.୮ ଡିଗ୍ରୀରୁ ବୃଦ୍ଧି ପାଇ ୩୪.୨ ଡିଗ୍ରୀରେ ପହଞ୍ଚିଥିବା ବେଳେ ଗୋପାଳପୁରରେ ଏହା ୩୩.୦ ଡିଗ୍ରୀରୁ ୩୪.୦ ଡିଗ୍ରୀକୁ ବୃଦ୍ଧି ପାଇଛି। ସେହିପରି ପାରାଦୀପରେ ସୋମବାର ୩୩.୪ ଡିଗ୍ରୀ ଥିବାବେଳେ ଆଜି ଏହା ୩୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ତେବେ ବାଲେଶ୍ୱରରେ ଉଭୟ ଦିନ ତାପମାତ୍ରା ୩୪.୨ ଡିଗ୍ରୀରେ ସ୍ଥିର ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅକ୍ଟୋବର ମାସର ପ୍ରଥମାର୍ଦ୍ଧରେ ଉପକୂଳ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ରେକର୍ଡ କରାଯାଇଥିବା ଏହି ତାପମାତ୍ରା ଅକ୍ଟୋବର ମାସ ପାଇଁ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି।