ଭୁବନେଶ୍ୱର: ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯିବା ସହିତ ମୋଟ ୭ ଜଣ ଅଧିକାରୀଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାପାଳ ଥିବା ଡ. ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାପାଳ ଥିବା ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିଶନର ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ମିଳିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପଶାସନ ସଚିବ ଥିବା ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ନିକଟରେ ମାତୃତ୍ୱ ଛୁଟିରୁ ଫେରି ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିବା ମଧୁମିତାଙ୍କୁ ନୂଆପଡ଼ାର ନୂତନ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅନ୍ୟ ଏକ ପରିବର୍ତ୍ତନ କ୍ରମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅବର ଶାସନ ସଚିବ ଅସ୍ନୀ ଏ. ଏଲ୍ ଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ ବଦଳି କରାଯାଇଛି। ସେହିପରି ଭବାନୀପାଟଣା ଉପଜିଲ୍ଲାପାଳ ଥିବା କସ୍ତୁରୀ ଶାହଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅନୁ ସଚିବ ଭାବେ ଅବସ୍ଥାପିତ କରାଯାଇଛି।