ଭୁବନେଶ୍ୱର: ଓଡ଼ିଶାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଦିନ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବ। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
ଘୋଷଣା କରାଯାଇଥିବା ନିର୍ଘଣ୍ଟ ଅନୁଯାୟୀ, ଆସନ୍ତା ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରାର୍ଥୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।
ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ୧୦ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଏହାପରେ ସେହି ଦିନ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନିର୍ବାଚନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ତାରିଖରେ ପ୍ରାର୍ଥୀମାନଙ୍କ ପକ୍ଷରୁ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର’ (Why I Stand For) ବା ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ଶୀର୍ଷକ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଧାର୍ଯ୍ୟ ତାରିଖ ଅନୁଯାୟୀ, ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କ୍ୟାମ୍ପସରେ ଭୋଟଗ୍ରହଣ ହେବ। ସେହିଦିନ ଅପରାହ୍ନ ୨ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଚାଲିବ। ଶେଷରେ, ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ଉତ୍ସବ ଅକ୍ଟୋବର ୧୬ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ।