ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପୁଣି ଏକ ନୂଆ ମୋଡ଼ ଆସିଛି। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆଗୁଆ ଜାମିନ ଆବେଦନ କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟରେ ତାଙ୍କର ସ୍ପେଶାଲ ଲିଭ୍ ପିଟିସନ୍ (SLP) ଖାରଜ ହେବା ପରେ ବିଦ୍ୟାଭାରତୀ ହାଇକୋର୍ଟରେ ଏହି ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଏସଏଲପିକୁ ଖାରଜ କରିଦେଇଥିଲେ ଏବଂ ଆଗୁଆ ଜାମିନ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।

ପୂର୍ବରୁ କୋର୍ଟରେ ବ୍ୟକ୍ତିଗତ ହାଜରାରୁ ରିହାତି ମାଗି ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ସିଆରପିସିର ଧାରା ୨୦୫ ଅଧୀନରେ ବିଦ୍ୟାଭାରତୀ ଏକ ଆବେଦନ କରିଥିଲେ। ତେବେ ୨୦୨୩ ଜୁନ୍ ୨୩ ଏବଂ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ଏସଡିଜେଏମ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ଏହି ରାୟକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟ ଯାଇଥିଲେ। କିନ୍ତୁ ହାଇକୋର୍ଟ ଏସଡିଜେଏମ୍ କୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଅକ୍ଟୋବର ୧ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସେ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଖାରଜ ହେବା ପରେ, ବର୍ତ୍ତମାନ ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ଆସନ୍ତା ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର ହେବାକୁ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ବହୁ ଚର୍ଚ୍ଚିତ ମାମଲାରେ ଆଗକୁ କଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।