୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ଖୋଲାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ ଅର୍ଥାତ କାଲିଠୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ ଦୃଷ୍ଟିରୁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଖୋଲାଯିବ ।
ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ହୋଇଥିବ ଏବଂ ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ସେମାନେ ଏଥିରେ ଆବେଦନ କରିପାରିବେ । ଯେଉଁ ମହିଳାମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରି ନ ଥିଲେ, ସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ ପାଇଁ ସୁଯୋଗ ଦିଆଯାଇଛି ।
କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ?
- ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ।
- ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିବେ
- ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ
- ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ
- ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ
- ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ
- ତା’ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ
- ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ
- ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ
- ଆବେଦନ କରିବା ପରେ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ
ୱେବ୍ ପୋର୍ଟଲ www.subhadra.odisha.gov.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ସମ୍ୱନ୍ଧୀୟ କୌଣସି ନୂଆ ଘୋଷଣା ମଧ୍ୟ ମହିଳାମାନେ ଏହି ୱେବ ପୋର୍ଟାଲରେ ପାଇପାରିବେ ଅନ୍ୟ କିଛି ଜାଣିବାକୁ ହେଲେ ମହିଳମାନେ ଟୋଲ ଫ୍ରୀ ନମ୍ୱର -୧୪୬୭୮ ରେ କଲ କରିପାରିବେ।