ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ନିମ୍ନ ଆୟବର୍ଗଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି: ମୁଖ୍ୟମନ୍ତ୍ରୀ
ଲୋକଙ୍କ ସରକାରରେ ଲୋକଙ୍କ ଉନ୍ନତି ଓ ବିକାଶକୁ ପ୍ରାଥମିକତା ଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି। ଏହାଦ୍ବାରା ପ୍ରତ୍ୟେକ ନାଗରିକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏହା କହିଛନ୍ତି।
ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ରବିବାର ଦିନ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଥିଲେ। ନୂଆପଡ଼ା ଓ କଳାହାଣ୍ଡିଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ବାସଗୃହ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଆମ ସରକାର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୭,୫୫୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ଏଥିରେ ୫ ଲକ୍ଷ ଘର ନିର୍ମାଣ କରାଯିବ। ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ୨୮ ଟି ଜିଲ୍ଲାର ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସମୁଦାୟ ୧୯୪ କୋଟି ୭୭ ଲକ୍ଷ ୨୦ ହଜାର ଟଙ୍କା ବଣ୍ଟନ କରାଯାଇଛି। ହିତାଧିକାରୀମାନଙ୍କୁ ଦ୍ବିତୀୟ କିସ୍ତିରେ ୬୫ ହଜାର ଏବଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେଉଁ ହିତାଧିକାରୀମାନେ ୪ ମାସ ମଧ୍ୟରେ ଘର ଶେଷ କରିବେ, ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ଯେଉଁମାନେ ୬ ମାସରେ ଘର ଶେଷ କରିବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ସମସ୍ତ ହିତାଧିକାରୀଙ୍କୁ IAP ବା ସମନ୍ବିତ କାର୍ଯ୍ୟ ଯୋଜନା ଜିଲ୍ଲାରେ ମନରେଗା କାର୍ଯ୍ୟକ୍ରମରେ ୯୫ ଦିନର ମଜୁରୀ ଏବଂ ଅଣ-IAP ଜିଲ୍ଲାରେ ୯୦ ଦିନର ମଜୁରୀ ମଧ୍ୟ ଦିଆଯାଉଛି। ଏହାସହିତ ହିତାଧିକାରୀଙ୍କୁ ଶୌଚାଳୟ, ପାଇପ ପାଣି ଆଦି ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଦିଆଯାଉଛି। ଏହି ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବ, ଅନଗ୍ରସର ତଥା ଅସହାୟ ପରିବାର ମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସହାୟକ ହେବ। ଏହାଦ୍ବାରା ଗରିବ ଓ ଅସହାୟ ହେଲେ ମଧ୍ୟ ପ୍ରତ୍ୟେକ ନାଗରିକ ଏକ ସର୍ବନିମ୍ନ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ।