ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ, ସାରସ୍ବତ ସାଧକ ଦାଶରଥୀ ପଟ୍ଟନାୟକଙ୍କର ଆଜି ପୁଣ୍ୟତିଥି। ଦାସିଆ ଅଜା ନାମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ସେ ନିଜ ଗାଁ’ରେ ପଥୁରିଆ ଅନୁର୍ବର ଜମି ଚାଷ କରି ପେଟ ପୋଷୁଥିଲେ । ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ଥିଲେ । ସେ ଦ୍ୱିପ୍ରହର ସମୟରେ ବିଶ୍ରାମ ନ ନେଇ ପାଠ ପଢ଼ିବାକୁ ଏକ ନିଶା ଭାବେ ଆଦରି ନେଇଥିଲେ। ବହି ପଢ଼ିବା ପାଇଁ ସେ ପର ଦିନ ପଢ଼ିବା ବହି ତା’ ଆଗଦିନ ଆଣି ସଂଗ୍ରହ କରି ରଖୁଥିଲେ।
କ୍ରମେ ତାଙ୍କର ଏହି ବହି ସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା । ସେ ମୁଣ୍ଡରେ ଠେକା ଭିଡ଼ି, କାନ୍ଧରେ ଝୁଲା ମୁଣା ଧରି ସାରା ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ । ଦାସିଆ ଅଜା ପ୍ରତିଦିନ ଏକଶହରୁ ଊର୍ଦ୍ଧ୍ବ ପୋଷ୍ଟକାର୍ଡ଼ ଲେଖି ବିଭିନ୍ନ କବି ଲେଖକମାନଙ୍କୁ ପଠାଉଥିଲେ । ଲେଖା ପଢ଼ି ଉତ୍ସାହିତ କରୁଥିଲେ ଓ ଅଚାନକ ସେମାନଙ୍କ ଘରେ ବି ପହଞ୍ଚି ଯାଉଥିଲେ । ଯାହାକୁ ଭେଟୁଥିଲେ ତାଙ୍କଠାରୁ ସହଯୋଗ ଅର୍ଥ ଭାବେ ମାତ୍ର ୧୦ ପଇସା ମାଗୁଥିଲେ। ନିଜର ସଂଗୃହୀତ ଜିନିଷ ସବୁକୁ ନେଇ ଦାସିଆ ଅଜା ନୟାଗଡ଼ର ନୂଆଗାଁରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ସ୍ଥାପନା କରିଥିଲେ। ୫୦୦୦ରୁ ଅଧିକ ତାଳପତ୍ର ପୋଥି, ପୁରୁଣା ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚେରମୂଳି, ବିଶିଷ୍ଠ ବ୍ୟକ୍ତିଙ୍କ ବ୍ୟବହୃତ ଦ୍ରବ୍ୟ, ପୂରାତନ ଦସ୍ତାବିଜ୍, ଫସିଲ, ଡାକଟିକଟ, ବାଦ୍ୟଯନ୍ତ୍ର,ମୂଲ୍ୟବାନ ପଟ୍ଟଚିତ୍ର ଆଦି ଅନେକ ଦୁର୍ଲଭ ଜିନିଷ ରହିଛି ଏହି ସଂଗ୍ରହାଳୟରେ ।
ସଂଗ୍ରହାଳୟ ପରିସର ମଧ୍ୟରେ ବାଞ୍ଛାନିଧି ପାଠାଗାର ଓ ଯଦୁମଣି ସାହିତ୍ୟ ସଂସଦ ରହିଛି। ଏକକ ପ୍ରଚେଷ୍ଟାରେ ୫୦ ହଜାରରୁ ଅଧିକ ବହି ଓ ୬୫ ହଜାରରୁ ଅଧିକ ପତ୍ରିକାରେ ସମୃଦ୍ଧ ହୋଇଥିଲା ବାଞ୍ଛାନିଧି ପାାଠାଗାର । ଏଠାରେ ବିଭିନ୍ନ ଭାଷାର ଅଭିଧାନ, ୩ ହଜାର ବିରଳ ବହି ଓ ୧୯୫୯ରୁ ୧୯୯୭ ପର୍ଯ୍ୟନ୍ତ ବହୁ ଦୈନିକ ଖବରକାଗଜ ରହିଛି । ୧୯୯୭ ମସିହା ଆଜିର ଦିନରେ ୯୦ ବର୍ଷ ବୟସରେ ଦାସିଆ ଅଜାଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କର ତିନୋଟି ଅନୁଷ୍ଠାନ ତାଙ୍କୁ ଚିରଦିନ ଅମର କରିଦେଇଛି । ସରକାରୀ ପ୍ରୋତ୍ସାହନରେ ଦାସିଆ ଅଜାଙ୍କର ତିନୋଟି ଯାକ ଅନୁଷ୍ଠାନକୁ ମିଶାଇ ଦାଶରଥୀ ପଟ୍ଟନାୟକ ଫାଉଣ୍ଡେସନ୍ ଟ୍ରଷ୍ଟ ଗଠନ କରାଯାଇଛି ।