ପିତାମାତାଙ୍କ ପାଇଁ ଦରକାରୀ ଟିପ୍ସ

ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଥମ ଛଅ ମାସ ପାଇଁ ଶିଶୁକୁ କେବଳ ମା’ କ୍ଷୀର ଦିଆଯାଏ । ଛଅ ମାସ ପରେ ଶିଶୁକୁ କଠିନ ଖାଦ୍ୟ ଦିଆଯାଏ। କିନ୍ତୁ ଏହା ପିତାମାତାଙ୍କ ପାଇଁ ସହଜ ହୋଇନଥାଏ। ସେମାନଙ୍କୁ କଠିନ ଖାଦ୍ୟ ଖୁଆଇବା ଟିକେ କଷ୍ଟସାଧ୍ୟ ହୋଇଥାଏ, କାରଣ ସେହି ସମୟରେ ଶିଶୁର ହଜମ ପ୍ରକ୍ରିୟା ଭଲ ଭାବରେ ବିକଶିତ ହୋଇନଥାଏ। ଏପରି ପରିସ୍ଥିତିରେ ପିଲାମାନଙ୍କୁ କେବଳ ସେହି ଖାଦ୍ୟ ଦିଆଯିବା ଉଚିତ, ଯାହା ସେମାନେ ସହଜରେ ହଜମ କରିପାରିବେ । ଯଦି ଆପଣ ମଧ୍ୟ ନିଜ ଶିଶୁକୁ କଠିନ ଖାଦ୍ୟ ଦେବାକୁ ଚାହୁଁଛନ୍ତି, ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

କଠିନ ଖାଦ୍ୟ

ଶିଶୁ ଛଅ ମାସର ହେବା ମାତ୍ରେ କଠିନ ଖାଦ୍ୟ ଦେବା ଆରମ୍ଭ କରିପାରିବ । ପ୍ରଥମେ ତରଳ ଖାଦ୍ୟ, ତା’ପରେ ବହଳିଆ ଖାଦ୍ୟ ଏବଂ କିଛି ଦିନ ପରେ ଆପଣ ଶିଶୁକୁ କଠିନ ଖାଦ୍ୟ ଦେଇପାରିବେ । ତରଳ ଖାଦ୍ୟ ଭାବରେ ଡାଲି ସିଝା ପାଣି, ପରିବା ସିଝା ପାଣି ଏବଂ ପରେ କଠିନ ଖାଦ୍ୟ ଭାବରେ ଡାଲି ସିଝା, ପନିପରିବା ସିଝା, ଚୂଡା ଛତୁଆ ଆଦି ଦେଇପାରିବେ।

ସେଓ ସିଝା

ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର ଥିବାରୁ ଶିଶୁର ଶରୀର ବିକାଶ ପାଇଁ ସାହାଯ୍ୟ କରେ। ପ୍ରଥମେ ସେଓକୁ ସିଝାଇ ତାହାକୁ ଛାଣି, ସେହି ପାଣି ଦେଇପାରିବେ । ନଚେତ୍ ଏହାର ପ୍ୟୁରି ବା ପେଷ୍ଟ କରି ଦେଇପାରିବେ। ଧ୍ୟାନ ରଖିବେ ଏହା ଯେପରି ଥଣ୍ଡା ହୋଇଥିବ। ଗରମ ଖାଦ୍ୟ ଶିଶୁକୁ ଦେବେ ନାହିଁ।

ମୁଗ ଡାଲି ସୁପ୍

ମୁଗ ଡାଲି ସୁପ୍ ମଧ୍ୟ ତିଆରି କରି ଦେଇପାରିବ । ଏଥିରେ ଥିବା ପୁଷ୍ଟିସାର ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୁପ୍ ତିଆରି କରିବାକୁ, ଏକ ପ୍ରେସର କୁକରରେ ମୁଗ ଡାଲି ନେଇ ସିଝାନ୍ତୁ। ଏହାକୁ ଥଣ୍ଡା କରି ଏହାର ପାଣି ଦେଇପାରିବେ, ନଚେତ୍ ବ୍ଲେଣ୍ଡରେ ଏହାକୁ ପେଷ୍ଟ କରି କଠିନ ଖାଦ୍ୟ ଭାବରେ ଖୁଆଇ ପାରିବେ। ଅଳ୍ପ ତେଲ, ଫୁଟଣ ଏବଂ ରସୁଣ ଛୁଙ୍କ କରି ଏହାକୁ ଶିଶୁକୁ ସୁପ୍ ଆକାରରେ ଶିଶୁକୁ ଦେଇପାରିବେ ।

କଦଳୀ

କଦଳୀ ପ୍ୟୁରି ଶିଶୁକୁ ଖୁଆଇ ପାରିବେ । ପ୍ୟୁରି ତିଆରି କରିବା ପାଇଁ କଦଳୀର ଚୋପା ଛଡାଇ ଚାମଚ ସାହାଯ୍ୟରେ ପତଳା ପ୍ୟୁରି ପ୍ରସ୍ତୁତ କରନ୍ତୁ। ପ୍ୟୁରିକୁ ପତଳା କରିବା ପାଇଁ ଆପଣ କ୍ଷୀର ମଧ୍ୟ ବ୍ୟବହାର କରିପାରିବେ। ନଚେତ୍ କଦଳୀକୁ ସିଝାଇ ତାହାର ପ୍ୟୁରି ମଧ୍ୟ ଖାଇବାକୁ ଦେଇ ପାରିବେ। କିନ୍ତୁ ଶିଶୁକୁ କଦଳୀ ଦେବା ପୂର୍ବରୁ ପାଗକୁ ଧ୍ୟାନରେ ନିଶ୍ଚୟ ଦେବେ। ପାଗ ଥଣ୍ଡା ହେଲେ କଦଳୀ ଦିଅନ୍ତୁ ନାହିଁ । କଦଳୀ ଖାଇବା ଦ୍ୱାରା ଶିଶୁର ଓଜନ ମଧ୍ୟ ବୃଦ୍ଧି ହୋଇପାରେ।

ଆଳୁ ପ୍ୟୁରି

ଆପଣ ମଧ୍ୟ ନିଜ ଶିଶୁକୁ ଆଳୁ ଖାଇବାକୁ ଦେଇପାରିବେ । ଆଳୁ ପ୍ୟୁରି ପ୍ରସ୍ତୁତ କରିବାକୁ ପ୍ରଥମେ ଏହାକୁ ଭଲ ଭାବରେ ଫୁଟାନ୍ତୁ । ତା’ପରେ ଏକ ପତଳା ପ୍ୟୁରି ପ୍ରସ୍ତୁତ କରିବାକୁ ଏକ ବ୍ଲେଣ୍ଡରରେ ମିକ୍ସ କରନ୍ତୁ । ଏହାକୁ ପତଳା କରିବା ପାଇଁ ପାଣି ମଧ୍ୟ ବ୍ୟବହାର କରିପାରିବେ । ଆଳୁ ଖାଇବା ଦ୍ୱାରା ଶିଶୁର ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁରି ରହିଥାଏ । ଯାହା ଦ୍ବାରା ସେମାନଙ୍କୁ ଶକ୍ତି ମିଳିବା ସହ ଶୀଘ୍ର ଭୋକ ହୁଏ ନାହିଁ।

ଖାଇବାକୁ ଦେବାବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ହେବ

– ଶିଶୁକୁ ଦେଉଥିବା ଖାଦ୍ୟରେ ଅଧିକ ଲୁଣ ଏବଂ ମସଲା ବ୍ୟବହାର କରନ୍ତୁ ନାହିଁ ।

– ପ୍ୟାକେଟ୍ ସ୍ନାକ୍ସ, ବିସ୍କୁଟ, ଚିପ୍ସରେ ତେଲ, ଲୁଣ ଏବଂ ମସଲା ଅଧିକ ଥାଏ, ଯାହା ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ସେମାନଙ୍କୁ ଏପରି ଜିନିଷ ଦିଅନ୍ତୁ ନାହିଁ ।

– ଶିଶୁକୁ ଅଧିକ ଥଣ୍ଡା ଏବଂ ଗରମ ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ ।

– ଯଦି ଶିଶୁର କୌଣସି ଖାଦ୍ୟରେ ଆଲର୍ଜି ଥାଏ, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।