ନାରୀ-ଶକ୍ତି: କୋର୍ଟ କଚେରୀକୁ ଭୟ କରୁଥିବା ଆଦିବାସୀ, ଦେଶର ସର୍ବୋଚ୍ଚ ପଦବୀର ଅଧିକାରିଣୀ !

ଦିନ ଥିଲା.. ଆଦିବାସୀ ଲୋକ ଥି​‌ଲେ ଦୁର୍ବଳ, ଅବହେଳିତ। ଶିକ୍ଷିତ ଓ ଆଧୁନିକ ଲୋକଙ୍କ ଦ୍ବାରା ଠକାମିର ଶିକାର ହେଉଥିଲେ। କିଏ ସେମାନଙ୍କ ଠାରୁ ଜମି ଲୁଟି ନେଉଥିଲା ତ ଅନ୍ୟ କେହି ଜଙ୍ଗଲ, କେହିକେହି ସେମାନଙ୍କ ଝିଅ ବୋହୂଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। କେବେକେବେ ଆଦିବାସୀ ସମ୍ପ୍ରଦାୟ ଏହାକୁ ମୁଣ୍ଡ ପାତି ସହି ଯାଉଥିଲା, ତ ଅନ୍ୟ କେତେବେଳେ ଏହାର ପାଲଟା ଯବାବ ଦେଉଥିଲା। ନ୍ୟାୟ ପାଇଁ କାହାକୁ ହତ୍ୟା କରୁଥିଲେ ନହେଲେ ପ୍ରଜା ମେଳିରେ ଏହାର ଫଇସଲା କରୁଥିଲେ। କିନ୍ତୁ ସେମାନେ କୋର୍ଟ କଚେରୀକୁ ଯାଉନଥିଲେ। ଭୟରେ ଥାନା କୋର୍ଟ କଚେରୀର ମାଟି ମାଡୁନଥିଲେ। କିନ୍ତୁ ଆଜି ସମୟ ବଦଳିଛି । ଆଦିବାସୀ ସମ୍ପ୍ରଦାୟର ଜଣେ ଅସାଧାରଣ ମହିଳା ଦେଶର ସର୍ବୋଚ୍ଚ ପଦବୀ ହାସଲ କରିବାକୁ ଯାଉଛନ୍ତି। ସେ ହେବେ ଦେଶର ପ୍ରଥମ ନାଗରିକ । ପ୍ରଥମ ଅଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ସେ ସୁନାମ ଅର୍ଜନ କରିବାକୁ ଯାଉଛନ୍ତି।

ଜୁନ୍ ୨୧ ମଙ୍ଗଳବାର ସଂଧାରେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପି ଘୋଷଣା କରିଛି। ତାଙ୍କର ବିଜୟ ପ୍ରାୟ ନିଶ୍ଚିତ। ଏଭଳି ପରିସ୍ଥିତିରେ ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ କୁହିଛନ୍ତି, “ଆଦିବାସୀମାନେ ପୋଲିସ ଷ୍ଟେସନ ଏବଂ କୋର୍ଟକୁ ଯିବାକୁ ଭୟ କରନ୍ତି। ଯେତେବେଳେ ସେମାନେ ଏକ ଆଦିବାସୀ ବ୍ୟକ୍ତିଙ୍କୁ ଶୀର୍ଷରେ ବା ଦେଶର ସର୍ବୋଚ୍ଚ ସ୍ଥାନରେ ଦେଖିବେ, ସେତେବେଳେ ଆତ୍ମବିଶ୍ୱାସ ବୃଦ୍ଧି ହେବ ଯେ ସେମାନଙ୍କ ମଧ୍ୟ କିଛି କରିପାରିବେ।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଜଣେ ଆଦିବାସୀ ଚେହେରା ଯିଏ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଯଦି ୬୪ ବର୍ଷୀୟ ଦୌପଦୀ ମୁର୍ମୁ ଏହି ନିର୍ବାଚନରେ ​​ଜିତନ୍ତି, ତେବେ ଏହା ଭାରତ ଇତିହାସରେ ପ୍ରଥମ ଥର ହେବ ଯେ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ। ଏହା କେବଳ ମୟୂରଭଞ୍ଜର ଜିଲ୍ଲାର ନୁହେଁ ସମଗ୍ର ଆଦିବାସୀ ଜାତି ପାଇଁ ଆଶା ଏବଂ ଗୌରବର ବିଷୟ ହେବ।

ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଦାରିଦ୍ର ତଥା ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରି ଏକ ପଛୁଆ ଜିଲ୍ଲାରୁ ଭୁବନେଶ୍ୱରର ରାମଦେବୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ।

ଦ୍ରୌପଦୀ ମୁର୍ମୁ ପ୍ରଥମେ ଶିକ୍ଷୟିତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।। ପରେ ସେ ରାଜନୀତିକୁ ପ୍ରବେଶ କଲେ । ୧୯୯୭ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ବିଜେପି କାଉନସିଲର ଭାବେ ନିର୍ବାଚିତ ହୋଇଥଲେ । ୨୦୦୦ ମସିହାରେ ରାଇରଙ୍ଗପୁରରୁ ବିଜେପି ଦଳରୁ ବିଧାୟିକା ହୋଇଥିଲେ ।

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମିଳିତ ସରକାର ସମୟରେ ସେ ବାଣିଜ୍ୟ ଏବଂ ପରିବହନ ବିଭାଗ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ହାସଲ କରିଥିଲେ। ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଭାବରେ ୨୦୦୭ ରେ ନିଳକାନ୍ତ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୨୦୧୫-୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଜର ଦାୟିତ୍ବକୁ ତୁଲାଇଥିଲେ।

ସେ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଥିଲେ, ଉଭୟଙ୍କର ମୃତ୍ୟୁ ହୋଇ ସାରିଛି। ବର୍ତ୍ତମାନ ଗୋଟିଏ ଝିଅ ଇତିଶ୍ରୀ ମୁର୍ମୁ ରହିଛନ୍ତି। ଦୌପଦୀ ମୁର୍ମୁ ଜଣେ ଶିବ ଭକ୍ତ। ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୟୂରଭଞ୍ଜ ସ୍ଥିତ ଏକ ଶିବ ମନ୍ଦିରକୁ ସଫା କରୁଥିବା ଦେଖିବାକୁ ମିଳିଥିଲା।