ଷାଠିଏ ବର୍ଷ ଭିତରେ ସୁନା ଦର ଦଶ ଗ୍ରାମ ପିଛା ୬୬ ଟଙ୍କାରୁ ବଢି ଲକ୍ଷେ ୬୨ହଜାର ଟଙ୍କାରେ ପହଞ୍ଚିଲାଣି । ଏଥି ସହ ତାଳଦେଇ ରୂପା ଦର ବି ବଢି ଚାଲିଛି
୧୯୬୪ ମସିହାରେ ୧୦ଗ୍ରାମ ଓଜନର ୨୪ କ୍ୟାରେଟ ସୁନାର ଦର ଥିଲା ୬୩ ଟଙ୍କା ୨୫ ପଇସା ମାତ୍ର । ୧୯୬୬ରେ ତାହା ୬୬ଟଙ୍କାରେ ସୀମିତ ଥିଲା । ତେବେ ଏହା ବଢି ବଢି ୧୯୮୪ରେ ୧୯୭୦ ଟଙ୍କା ହୋଇଥିବାବେଳେ ୨୦୦୪ରେ ପହଞ୍ଚିଥିଲା ୫୮୫୦ ଟଙ୍କାରେ । ୨୦୧୪ ୧୦ଗ୍ରାମ ୨୪ କ୍ୟାରେଟ ସୁନା ଦର ୨୮,୦୦୬ ଟଙ୍କା ରହିଥିବାବେଳେ ୨୦୨୪ରେ ତାହା ୭୭,୯୧୩ ଟଙ୍କାରେ ପହଞ୍ଚିଥିଲା । ୨୦୨୫ରେ ଏହାର ଦର ୧ଲକ୍ଷ ୫ହଜାରରୁ ୧ଲକ୍ଷ ୩୦ହଜାର ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ୨୦୨୬ ମସିହାର ଆଜିର ଦିନରେ ୧୦ଗ୍ରାମ ଓଜନର ୨୪କ୍ୟାରେଟ୍ ସୁନା ଦର ୧ଲକ୍ଷ ୬୨ହଜାର ଟଙ୍କାରେ ପହଞ୍ଚିଛି ।
ସୁନା ସହ ତାଳ ଦେଇ ରୂପା ଦର ମଧ୍ୟ ହୁ ହୁ ହୋଇ ବଢୁଛି । ୧୯୮୪ ବେଳକୁ ଗୋଟିଏ କିଲୋ ରୂପା ର ଦାମ୍ ମାତ୍ର ୩୫୭୦ ଟଙ୍କା ଥିଲା । ଏହା ବଢି ବଢି ୨୦୦୪ ବେଳକୁ ୧୧,୭୭୦ ଟଙ୍କାରେ ପହଞ୍ଚିଥିଲା । ତେବେ ୨୦୧୪ରେ ଗୋଟିଏ କିଲୋ ରୂପାର ଦାମ୍ ୪୩,୦୭୦ ଟଙ୍କା ଥିବାବେଳେ ୨୦୨୪ରେ ତାହା ୯୫,୭୦୦ ଟଙ୍କାକୁ ଟପିଥିଲା । ୨୦୨୫ ବର୍ଷରେ ରୂପା କିଲୋ ୨ଲକ୍ଷ ୬୨ ହଜାର ଟଙ୍କା ଥିବାବେଳେ ୨୦୨୬ରେ ଆଜିର ଦିନରେ କିଲେ ରୂପାର ବଜାର ଦର ୩ଲକ୍ଷ ୩୦ହଜାର ଟଙ୍କା ଛୁଇଁଛି ।
ଏବେ ବିବାହ ଋତୁ ଚାଲିଥିବାରୁ ଗରିବ ଠାରୁ ଧନିଙ୍କ ପର୍ଯ୍ୟନ୍ତ ଅଧିକାଂଶ ବିବାହ କାର୍ଯ୍ୟକ୍ରମ ପାଇଁ ସୁନା କିଣିବାରେ ବ୍ୟସ୍ତ । ତେବେ ସୁନା ଦୋକାନକୁ ଗଲେ ଦର ଦେଖି ସେମାନଙ୍କ ମୁଣ୍ଡ ଘୂରି ଯାଉଛି । ଯେଉଁମାନେ ଆଗରୁ ବର କନ୍ୟାଙ୍କୁ ବନ୍ଦାଇବାପାଇଁ ହାରଟିଏ ଉପହାର ଦେଉଥିଲେ ଏବେ ସେମାନେ ତାହା ପତଳା ମୁଦିରେ ଚଳାଇବାକୁ ବାଧ୍ୟ ହେଉଛନ୍ତି । ଧନି ଲୋକମାନଙ୍କ ପସନ୍ଦ ସୁନା ଥିବାବେଳେ ଗରିବ ଗୁରୁବା ଲୋକେ ସୁନା କିଣିନପାରି ରୂପାରେ କାମ ଚଳାଇ ଦେଇଥାନ୍ତି । କିନ୍ତୁ ରୂପା କିଲୋ ୩ଲକ୍ଷ ୩୦ହଜାର ହୋଇଥିବାରୁ ସେମାନେ ବି ଏଥିପାଇଁ ଅକ୍ଷମ । ଆଗରୁ ବାହାଘରବେଳେ ଝିଅମାନେ ଶାଶୁ ଘରକୁ ଠାକୁର ଘର ପାଇଁ ରୂପା ବାସନ କୁସନ ନେଉଥିଲେ । ଏମିତିକି ଛୋଟ ପିଲାମାନଙ୍କ ଅନ୍ନପସନ୍ନବେଳେ ବି ରୂପା ଗିନା ଓ ରୂପା ଚାମଚ ବ୍ୟବହାର କରାଯାଉଥିଲା । ଏବେ କିନ୍ତୁ ଷ୍ଟିଲ୍ ବାସନ କୁସନରେ କାମ ଚଳାଇବାକୁ ଲୋକେ ବାଧ୍ୟ ହେଉଛନ୍ତି ।
ବିଶେଷକରି ସୁନା ରୂପା ଦର ବଢିଥିବା ଦୃଷ୍ଟିରୁ ଅନେକ ଗରିବ ପରିବାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ସହ ମଙ୍ଗଳସୂତ୍ର ଉପରେ ଭରସା କରୁଛନ୍ତି । କେତେକ କ୍ଷେତ୍ରରେ ଏହି ଫାଇଦା ହାତେଇବାପାଇଁ ବିବାହିତ ଲୋକ ବି ନିଜକୁ ଅବିବାହିତ ଦର୍ଶାଇ ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ସହାୟତା ନେଉଥିବା ଘେନି ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ବର୍ଷକ ପାଇଁ ସୁନା ନକିଣିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେବା ପରେ ପରେ ବିଦେଶରୁ ଅଣାଯାଉଥିବା ସୁନା ଉପରେ ଆମଦାନୀ ଶୁଳ୍କ କେନ୍ଦ୍ର ସରକାର ବଢାଇଛନ୍ତି । ବିଦେଶରୁ ସୁନା ରୂପା ଆମଦାନୀ କରିବାପାଇଁ ବିପୁଳ ପରିମାଣର ବୈଦେଶିକମୁଦ୍ରା ବରବାଦ କରିବାକୁ ପଡୁଛି । ତେବେ ଅତି ଧନିକ ଶ୍ରେଣୀର ଲୋକମାନେ ପ୍ରଚୁର ପରିମାଣର ସୁନା କିଣୁଥିବାବେଳେ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ନୂଆ ସୁନା ରୂପା ଗହଣା କିଣିବାପାଇଁ ସକ୍ଷମ ହେଉନାହାନ୍ତି । ଏହାର ପ୍ରଭାବ ବି ଗହଣା ବଜାର ଉପରେ ଅନୁଭୂତ ହେଉଛି ।