ମା’ କେବଳ ଏକ ଶବ୍ଦ ନୁହେଁ, ଏକ ଆବେଗ । ମା’ ତା ସନ୍ତାନ ପାଇଁ ନିଜ ସ୍ବାର୍ଥ, ସୁଖ ଓ ସ୍ବପ୍ନର ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହୋଇଯାଏ । ନିଜ ସନ୍ତାନର ମଙ୍ଗଳ ପାଇଁ ସବୁ କିଛି ତ୍ୟାଗ କରିଦିଏ କରେ । ସେହି ବ୍ୟକ୍ତିତ୍ବଙ୍କ ପାଇଁ ଆଜିର ଦିନ ଉତ୍ସର୍ଗୀକୃତ । ସାରା ବିଶ୍ବରେ ଆଜିର ଦିନକୁ ମଦର୍ସ ଡେ’ ବା ମା’ଙ୍କ ପାଇଁ ଏକ ଖାସ୍ ଦିନ ଭାବେ ପାଳନ କରାଯାଏ । ଚାଲନ୍ତୁ ଆଜିର ଦିନର ମହତ୍ତ୍ବ, ଇଚିହାସ …
ମଦର୍ସ ଡେ’ର ଥିମ୍:
ଚଳିତବର୍ଷ ମଦର୍ସ ଡେ’ର ଥିମ୍ ରହିଛି”The Great Unberdening”।ଅର୍ଥାତମା’ଙ୍କ ଉପରୁ ବିଭିନ୍ନ ପ୍ରକାରର ବୋଝ ଯଥା: ଶାରୀରିକ, ମାନସିକ ଓ ଭାବନାତ୍ମକ ବୋଝକୁ ହାଲୁକା କରିବା । ସମସ୍ତ ପ୍ରକାରର ଦାୟିତ୍ବରେ ସହଭାଗିତା ଓ ସାହାଯ୍ୟ କରିବା । ମା’ଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବା । ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ସପ୍ତାହରେ ବିଶ୍ବସ୍ତରରେ ଅନ୍ତର୍ଜାତୀୟ ମାତୃ ଦିବସ ବା ମଦର୍ସ ଡେ’ ପାଳନ କରାଯାଇଥାଏ । ଚଳିତବର୍ଷ ଏହି ଦିବସ ମେ’ ୧୦ ତାରିଖ ଅର୍ଥାତ ଆଜି ସାରା ବିଶ୍ବରେ ପାଳିତ ହେଉଛି । ଆଜି ସମସ୍ତ ମା’ଙ୍କ ପାଇଁ ଏକ ଖାସ୍ ଦିନ ଅଟେ । ଆମ ଜୀବନରେ ଏବଂ ପ୍ରତ୍ୟେକ ସନ୍ତାନର ସଫଳତା ପଛରେ ମା’ଙ୍କ ବହୁ ଅବଦାନ ରହିଥାଏ । ଆଜିର ଦିନରେ ମା’ଙ୍କର ସମସ୍ତ ତ୍ୟାଗ ଓ ବଳିଦାନ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହିଁ ପ୍ରମୁଖ ଲକ୍ଷ୍ୟ ଅଟେ । ଏଥିପାଇଁ ଅବଶ୍ୟ ଗୋଟିଏ ଦିନ ପର୍ଯ୍ୟାପ୍ତ ନୁହେଁ । ତଥାପି ଆଜିର ଦିନକୁ ନିଜ ମା’ଙ୍କ ପାଇଁ ଅବିସ୍ମରଣୀୟ କରି ତାଙ୍କୁ ଖୁସି କରିପାରିବା ।
ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ପରେ ୧୯୦୮ରେ ଯୁକ୍ତରାଷ୍ଟ୍ରରେ ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ମାତୃ ଦିବସ ପାଳନ କରିଥିଲେ । ସେ ନିଜ ମାଆକୁ ବହୁତ ଭଲ ପାଉଥିଲେ । ଯେତେବେଳେ ମାଆଙ୍କର ମୃତ୍ୟୁ ହୋଇଥିଲା ସେ ନିଜ ଜୀବନ ମାଆ ପାଇଁ ଉତ୍ସର୍ଗ କରିଦେଇଥିଲେ । ମାଆଙ୍କ ମୃତ୍ୟୁ ପରେ ସ୍ମୃତିରେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ପରେ ୧୯୧୪ ମସିହା ମେ’ ୮ ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବିଲସନ ମାତୃ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହାପରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହୋଇଥିଲା । ସେହିଦିନ ଠାରୁ ମାତୃ ଦିବସ ପାଳନ କରାଯାଉଛି । ମେ’ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ରୂପେ ପାଳନ କରାଯାଉଛି । ପରେ ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ବୀକୃତି ମିଳିଥିଲା ।
ଏହି ଦିନରେ ଉପହାର ନୁହେଁ, ମା’ଙ୍କୁ ଦିଅନ୍ତୁ ଟିକିଏ ସମୟ ଓ ଅଶେଷ ସ୍ନେହ। ପୃଥିବୀର କୋଣ ଅନୁକୋଣରେ ଲୋକମାନେ ଫୁଲ, କାର୍ଡ ଏବଂ ହାତତିଆରି ଉପହାର ମାଧ୍ୟମରେ ମା’ଙ୍କୁ ଖୁସି କରିଥାନ୍ତି । ଭାରତରେ ବିଶେଷ କରି ମା’ଙ୍କ ପାଇଁ ପସନ୍ଦର ଖାଦ୍ୟ ତିଆରି କରିବା ଓ ତାଙ୍କ ସହ ସମୟ ବିତାଇବାକୁ ପ୍ରାଧାନ୍ୟ ଦିଆଯାଏ । ଆଜିକାଲି ଏହା ଏକ ବଡ଼ ବ୍ୟବସାୟିକ ରୂପ ନେଇଥିଲେ ମଧ୍ୟ, ଅସଲ ଖୁସି କେବଳ ହୃଦୟରୁ ବାହାରୁଥିବା ଦୁଇପଦ ମିଠା କଥାରେ ହିଁ ଥାଏ । ଏହି ଦିନଟି କେବଳ ଜନ୍ମଦାତ୍ରୀ ମା’ଙ୍କ ପାଇଁ ନୁହେଁ, ବରଂ ଆମ ଜୀବନରେ ମା’ଙ୍କ ଭଳି ସ୍ନେହ ଦେଉଥିବା ଆଈ, ମାଉସୀ, ପିଉସୀ ଏବଂ ଗୁରୁଜନମାନଙ୍କୁ ମଧ୍ୟ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ । ସହରାଞ୍ଚଳରେ ଏହା ଅଧିକ ଲୋକପ୍ରିୟ ହେଉଥିଲେ ହେଁ, ଭାରତୀୟ ସଂସ୍କାରରେ ମା’ଙ୍କ ପ୍ରତି ଥିବା ଭକ୍ତି ଏହି ଦିବସକୁ ଅଧିକ ଭାବପୂର୍ଣ୍ଣ କରିଥାଏ ।