ଚାରି ଦିନ ଧରି ପାଳିତ ହେଉଥିବା ଆସ୍ଥାର ମହାପର୍ବ ଛଠ୍ ପୂଜା ଆଜି ସକାଳେ ଶେଷ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ନଦୀ ଘାଟରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଉଦୟଗାମୀ ସୂର୍ଯ୍ୟଙ୍କୁ ଉଷା ଅର୍ଘ୍ୟ ଅର୍ପଣ କରିଛନ୍ତି। ବିଶେଷ କରି ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଏହି ପର୍ବର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।
ବିହାରର ପାଟନା ମୀନାର ଘାଟରେ ସକାଳୁ ହଜାର ହଜାର ଭକ୍ତ ପୂଜାର୍ଚ୍ଚନା କରିଥିଲେ। ଦିଲ୍ଲୀର ହାତୀ ଘାଟ, କାଳିନ୍ଦୀ କୁଞ୍ଜ, ଆଇଟିଓ ଏବଂ ସୋନିଆ ବିହାର ଭଳି ସ୍ଥାନରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରିଥିଲେ। ସେହିପରି ଉତ୍ତରପ୍ରଦେଶର ଅଯୋଧ୍ୟାରେ ସରୟୁ ଘାଟ ଏବଂ ଗୋରଖପୁରର ଭୀମ ସରୋବରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗର କୋଲକାତାରେ ହୁଗୁଳି ନଦୀ କୂଳରେ ଥିବା କଦମତଲା ଘାଟରେ ଶ୍ରଦ୍ଧାଳୁମାନେ ଅର୍ଘ୍ୟ ପ୍ରଦାନ କରି ନିଜର ବ୍ରତ ସଂପୂର୍ଣ୍ଣ କରିଛନ୍ତି।
ଧର୍ମୀୟ ବିଶ୍ୱାସ ଓ ରୀତିନୀତି
ସୂର୍ଯ୍ୟ ଦେବତା ଏବଂ ଛଠୀ ମା’ଙ୍କୁ ସମର୍ପିତ ଏହି ଉତ୍ସବ ପବିତ୍ରତା ଓ ନିଷ୍ଠାର ପ୍ରତୀକ। ଏହା ନହାୟ ଖାୟରୁ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଦିନରେ ଖରନା ପାଳନ ପରେ ଶ୍ରଦ୍ଧାଳୁମାନେ ପ୍ରାୟ ୩୬ ଘଣ୍ଟାର ନିର୍ଜଳା ଉପବାସ କରିଥିଲେ। ଗତକାଲି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ସନ୍ଧ୍ୟା ଅର୍ଘ୍ୟ ଦିଆଯାଇଥିବା ବେଳେ ଆଜି ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ପରେ ପାରଣ ବିଧି ସହ ଉପବାସ ଭାଙ୍ଗିଛନ୍ତି ଶ୍ରଦ୍ଧାଳୁ। ପରିବାରର ସୁଖ, ସମୃଦ୍ଧି ଓ ଆରୋଗ୍ୟ କାମନା କରି ଏହି ପୂଜା କରାଯାଇଥାଏ।