ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ମଧୁମେହ ଦିବସ (World Diabetes Day) ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଧୁମେହର ଭୟାବହତା, ଏହାର ବିପଦ ଓ ପ୍ରତିରୋଧର ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା। ଚଳିତ ବର୍ଷର ବିଷୟବସ୍ତୁ (Theme) ହେଉଛି “ଏର୍ଲି ଆକ୍ସନ୍ ଅନ୍ ଡାଇବେଟିସ୍” (Early Action on Diabetes), ଯାହା ସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଠିକ୍ ସମୟରେ ରକ୍ତ ଶର୍କରା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରେ।
ପିଲାଦିନରୁ ସୁସ୍ଥ ଅଭ୍ୟାସ ଜରୁରୀ
ଟାଇପ୍-୨ ମଧୁମେହ ପ୍ରତିରୋଧ କରିବା ପାଇଁ ବୟସ୍କ ଅବସ୍ଥା ଅପେକ୍ଷା ପିଲାଦିନରୁ ସତର୍କ ହେବା ଆବଶ୍ୟକ। ଶୈଶବରୁ ସୁଷମ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ ଏବଂ ଖେଳକୁଦରେ ଅଂଶଗ୍ରହଣ କରିବା ଦ୍ୱାରା ଭବିଷ୍ୟତରେ ମଧୁମେହ ହେବାର ଆଶଙ୍କା ଯଥେଷ୍ଟ କମିଥାଏ। ଡାକ୍ତରୀ ବିଶେଷଜ୍ଞଙ୍କ ମତରେ, ପିଲାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଶାରୀରିକ ସକ୍ରିୟତା ବଜାୟ ରଖିବା ଦ୍ୱାରା ଜୀବନଶୈଳୀ ଜନିତ ଅନେକ ରୋଗରୁ ରକ୍ଷା ମିଳିପାରିବ।
ଏହା ଏକ ‘ସାଇଲେଣ୍ଟ’ ରୋଗ
ଅନେକ କ୍ଷେତ୍ରରେ ଟାଇପ୍-୨ ମଧୁମେହର କୌଣସି ପ୍ରାଥମିକ ଲକ୍ଷଣ ଜଣାପଡି ନଥାଏ। ଏହା ଶରୀରରେ ଧୀରେ ଧୀରେ ବୃଦ୍ଧି ପାଇଥାଏ, ଯାହାକୁ ‘ସାଇଲେଣ୍ଟ୍’ ରୋଗ ବୋଲି କୁହାଯାଏ। ଏଥିପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ବା ସ୍କ୍ରିନିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଯେଉଁମାନଙ୍କ ପରିବାରରେ ମଧୁମେହ ରହିଛି, ସେମାନେ ନିୟମିତ ବ୍ୟବଧାନରେ ରକ୍ତ ଶର୍କରା ସ୍ତର ଯାଞ୍ଚ କରିବା ଉଚିତ।
ବିଶେଷଜ୍ଞଙ୍କ ପରାମର୍ଶ
ଫାର୍ମଇଜି (PharmEasy) ର ମେଡିକାଲ କଣ୍ଟେଣ୍ଟ ମୁଖ୍ୟ ଡଃ ନିକିତା ତୋଷୀ କହିଛନ୍ତି ଯେ, ମଧୁମେହର ଭାର କମ୍ କରିବାକୁ ହେଲେ ଆମକୁ ଅତି କମ୍ ବୟସରୁ ସଚେତନ ହେବାକୁ ପଡ଼ିବ। ସେ କହିଛନ୍ତି, “ସୁଷମ ଆହାର ଏବଂ ସକ୍ରିୟ ଜୀବନଶୈଳୀକୁ ଆପଣେଇବା ଦ୍ୱାରା ହିଁ ଆମେ ସୁସ୍ଥ ରହିପାରିବା। ଆମେ ସମସ୍ତେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏବଂ ରକ୍ତ ଶର୍କରା ସ୍ତର ଯାଞ୍ଚ କରାଇବା ଉଚିତ।”
ସତର୍କତା
ମଧୁମେହ ନିୟନ୍ତ୍ରଣ ପାଇଁ କେବଳ ଔଷଧ ନୁହେଁ, ବରଂ ନିୟମିତ ଶାରୀରିକ ପରିଶ୍ରମ, ଓଜନ ନିୟନ୍ତ୍ରଣ ଏବଂ ପୁଷ୍ଟିକର ଖାଦ୍ୟ ସେବନ କରିବା ଆବଶ୍ୟକ। ଯଦି ଆମେ ପିଲାଦିନରୁ ସୁସ୍ଥ ଅଭ୍ୟାସ ଗଠନ କରିବା ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚକୁ ପ୍ରାଥମିକତା ଦେବା, ତେବେ ମଧୁମେହ ଭଳି ଜଟିଳ ସମସ୍ୟାରୁ ଦୂରରେ ରହିପାରିବା।