କାଲି ମିଳିବ ପିଏମ୍-କିଷାନ କିସ୍ତି: ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ପାଇବେ ୭୦୦ କୋଟିରୁ ଊର୍ଦ୍ଧ୍ୱ ସହାୟତା

ଭୁବନେଶ୍ୱର: ଆସନ୍ତାକାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା । କେନ୍ଦ୍ର ସରକାରଙ୍କ ପ୍ରମୁଖ କୃଷକ କଲ୍ୟାଣକାରୀ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ୍-କିଷାନ) ର ୨୪ତମ କିସ୍ତି ଆସନ୍ତାକାଲି ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। ‘ପିଏମ୍-କିଷାନ ଉତ୍ସବ ଦିବସ’ ଅବସରରେ ଦେଶବ୍ୟାପୀ କୃଷକମାନଙ୍କୁ ଏହି ଆର୍ଥିକ ଅନୁଦାନ ରାଶି ହସ୍ତାନ୍ତର କରାଯିବ।

ଏହି ଉପଲକ୍ଷେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଗୁଜରାଟର ବନସକନ୍ଥା ଠାରେ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ମାଧ୍ୟମରେ ଦେଶର କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ।

ଜାତୀୟ କାର୍ଯ୍ୟକ୍ରମ ସହିତ ସମନ୍ୱୟ ରକ୍ଷା କରି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ପୂର୍ବାହ୍ନ ୯ଟାରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୋଟ ୩୫,୩୯,୨୯୭ ଜଣ ଯୋଗ୍ୟ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୭୦୭,୮୫,୯୪,୦୦୦ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯିବ। ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବେ।

ଏହି ଆର୍ଥିକ ସହାୟତା ଗ୍ରାମୀଣ ପରିବାରଗୁଡ଼ିକୁ ଆର୍ଥିକ ସମ୍ବଳ ଯୋଗାଇବା ସହ ରାଜ୍ୟର କୃଷି ଅର୍ଥନୀତିକୁ ସୁଦୃଢ଼ କରିବାରେ ବେଶ୍ ସହାୟକ ହେବ। ଚାଷୀମାନେ ଚଳିତ ଋତୁକାଳୀନ କୃଷି କାର୍ଯ୍ୟ ତଥା ସାର ଓ ବିହନ ଖର୍ଚ୍ଚ ଭରଣା କରିବା ଦିଗରେ ଏହି ଅର୍ଥ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ।