ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବ କାର୍ଯ୍ୟାନୁଷ୍ଠାନ ବେଆଇନ ଘୋଷିତ

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ଓଡ଼ିଶା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟ ଅସିଦ୍ଧ ତଥା ବେଆଇନ ଘୋଷଣା କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଟିଖିରି ଗ୍ରାମପଞ୍ଚାୟତର ମୋଟ ୨୨ ଜଣ ୱାର୍ଡମେମ୍ବରଙ୍କ ମଧ୍ୟରୁ ୨୧ ଜଣ ସଦସ୍ୟ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏଥିପାଇଁ ଗତ ଜୁଲାଇ ୨୭ ତାରିଖରେ ପ୍ରକ୍ରିୟା ଆରମ୍ଭ କରାଯାଇ ସେପ୍ଟେମ୍ବର ୧୩ ତାରିଖରେ ଭୋଟ୍ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ପ୍ରକ୍ରିୟାରେ ବୈଧାନିକ ନିୟମାବଳୀ ପାଳନ କରାଯାଇ ନ ଥିବା ଅଭିଯୋଗ କରି ଚାମେଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଧାରା ୨୪ ଅନୁସାରେ, ଜଣେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ କେତେକ ଆଇନଗତ ପ୍ରକ୍ରିୟା ପୂରଣ କରିବା ଅନିବାର୍ଯ୍ୟ। ଏଥିରେ ସରପଞ୍ଚଙ୍କୁ ଆବଶ୍ୟକୀୟ ନୋଟିସ୍ ସହିତ ପ୍ରସ୍ତାବ ଏବଂ ରିକ୍ୱିଜିସନ୍ କପି ପ୍ରଦାନ ପୂର୍ବକ ୧୫ ଦିନର ସମୟ ଦେବା ବାଧ୍ୟତାମୂଳକ। କିନ୍ତୁ ଚାମେଲୀଙ୍କୁ ନିୟମ ମୁତାବକ ସଂପୃକ୍ତ ନଥିପତ୍ର ଦିଆଯାଇ ନ ଥିଲା। କେବଳ ତାଙ୍କ ବାପାଙ୍କୁ ଏକ ନୋଟିସ୍ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ ଏକ ନୋଟିସ୍ ଡାକ ଯୋଗେ ପଠାଯାଇଥିଲା। ଏହା ଆଇନର ଉଲ୍ଲଂଘନ ଦର୍ଶାଇ ହାଇକୋର୍ଟ ସମ୍ପୃକ୍ତ ଅନାସ୍ଥା ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି।

ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ପରଠାରୁ ଚାମେଲୀ ଓଝା ଲଗାତାର ଚର୍ଚ୍ଚାରେ ରହିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ପୋଲିସ ମାଡ଼ ମାରିଥିବା ଅଭିଯୋଗ କରି ସେ ଚିକିତ୍ସିତ ମଧ୍ୟ ହୋଇଥିଲେ। ଏବେ ହାଇକୋର୍ଟଙ୍କ ଏହି ରାୟ ପରେ ତାଙ୍କୁ ଏକ ବଡ଼ ଆଇନଗତ ବିଜୟ ମିଳିଛି।