୨୦୦ ଟଙ୍କାର ଲକି ଡ୍ର’ କୁପନ ବଦଳାଇଦେଲା ଭାଗ୍ୟ: ୬ ବର୍ଷର ଶିଶୁ ଜିତିଲା ୫୦ ଲକ୍ଷ ଟଙ୍କାର ଫର୍ଚୁନର କାର୍

ମଧ୍ୟପ୍ରଦେଶ: କଥାରେ ଅଛି, ଭାଗ୍ୟ ଯେତେବେଳେ ସାଥ୍ ଦିଏ, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ଏଭଳି ଏକ ଚମତ୍କାର ଘଟଣା ଏବେ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳରେ। ଏଠାରେ ଜଣେ ୬ ବର୍ଷ ବୟସ୍କ ଶିଶୁ ମାତ୍ର ୨୦୦ ଟଙ୍କାର ଏକ ଲକି ଡ୍ର’ କୁପନ ମାଧ୍ୟମରେ ପାଖାପାଖି ୫୦ ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଫର୍ଚୁନର (Toyota Fortuner) କାର୍ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ସୂଚନା ଅନୁଯାୟୀ, ବୁରହାନପୁରର ସିଲମପୁରା ବାସିନ୍ଦା ମେଦାଂଶ ରାଇକୱାର (Medansh Raikwar) ନାମକ ୬ ବର୍ଷୀୟ ଶିଶୁ ଆଭାପୁରୀସ୍ଥିତ ଶ୍ରୀ ସରକାର ଧାମ ପକ୍ଷରୁ ଆୟୋଜିତ ଏକ ଲକି ଡ୍ର’ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ପ୍ରାୟ ଏକ ବର୍ଷ ପୂର୍ବେ ମେଦାଂଶଙ୍କ ଆଇ କିରଣ ରାଇକୱାର ସେଠାରେ ଏକ ଗର୍ବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହି ସମୟରେ ସେ ମାତ୍ର ୨୦୦ ଟଙ୍କା ଦେଇ ଏହି ଲକି ଡ୍ର’ କୁପନ କିଣିଥିଲେ ଏବଂ ସେଥିରେ ନିଜ ନାତି ମେଦାଂଶଙ୍କ ନାମ ଲେଖିଥିଲେ। ତାଙ୍କର ସେହି ସାମାନ୍ୟ କୁପନ ଯେ ପରିବାର ପାଇଁ ଏତେ ବଡ଼ ଖୁସି ଆଣିଦେବ, ତାହା କେହି କଳ୍ପନା ମଧ୍ୟ କରିନଥିଲେ।

ନିକଟରେ ଏହି ଲକି ଡ୍ର’ର ଫଳାଫଳ ଘୋଷଣା କରାଯାଇଥିଲା, ଯେଉଁଥିରେ ପ୍ରଥମ ପୁରସ୍କାର ବିଜେତା ଭାବେ ମେଦାଂଶଙ୍କ ନାମ ଉଠିଥିଲା। ଏହି ଖବର ପାଇବା କ୍ଷଣି ପରିବାର ତଥା ପୂରା ଅଞ୍ଚଳରେ ଉତ୍ସାହର ଲହରୀ ଖେଳିଯାଇଥିଲା। ଗାଡ଼ିଟି ଘରକୁ ଆସିବା ପରେ ଢୋଲ ବଜାଇ ଖୁସି ମନାଇବା ସହ ଶିଶୁଟିକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରିବାର ଲୋକେ ନୂତନ କାର୍ ପାଇଁ ପୂଜାର୍ଚ୍ଚନା କରି ଈଶ୍ୱରଙ୍କ ଆଶୀର୍ବାଦ ନେଇଥିଲେ। ଏକ ନିଜସ୍ୱ କାର୍ କିଣିବାକୁ ସ୍ୱପ୍ନ ଦେଖୁଥିବା ଏହି ପରିବାର ପାଇଁ ଏହା ଅତ୍ୟନ୍ତ ଭାବପ୍ରବଣ ଓ ଅବିସ୍ମରଣୀୟ ମୁହୂର୍ତ୍ତ ପାଲଟିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ମାତ୍ର ୨୦୦ ଟଙ୍କା ବିନିମୟରେ ଏତେ ବଡ଼ ପୁରସ୍କାର ମିଳିବା ଘଟଣାକୁ ନେଇ ନେଟିଜେନ୍ସ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଶିଶୁଟିକୁ ଶୁଭେଚ୍ଛା ଜଣାଉଛନ୍ତି। ସୂଚନାଯୋଗ୍ୟ, ଟୟୋଟା ଫର୍ଚୁନର ଏକ ଲୋକପ୍ରିୟ ପ୍ରିମିୟମ ୭-ସିଟର ଏସୟୁଭି, ଯାହା ନିଜର ଦମଦାର ଲୁକ୍, ଶକ୍ତିଶାଳୀ ଇଞ୍ଜିନ ଏବଂ ଅଫ-ରୋଡିଂ କ୍ଷମତା ପାଇଁ ବେଶ୍ ପରିଚିତ।