ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ଝଡ଼ତୋଫାନ, ୟାନମ୍‌ରେ ରଚିଲା ତାଣ୍ଡବ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ । ବାତ୍ୟା ଅର୍ଣ୍ଣବ ସମ୍ପୂର୍ଣ୍ଣ ସ୍ଥଳଭାଗକୁ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପାରିଣତ ହେବ । ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଯିବ । ମାଲକାନଗିରିରେ ଅତିକ୍ରମ କରିବା ବେଳେ ଏହା ଗଭୀର ଅବପାତ ବା ଅବପାତ ଅବସ୍ଥାରେ ରହିବ ।

ପାଣିପାଗ ବିଭାଗର ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୧:୨୦ ସମୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଝଡ଼ ବାପଟଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ଦକ୍ଷିଣ ଭାଗ ଦେଇ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିମି ରହିଥିବା ବେଳେ ଝଟକା ପବନର ବେଗ ସର୍ବାଧିକ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚିଛି। ମାଚିଲିପାଟଣା ର଼ାଡାର୍ ଚିତ୍ର ଅନୁଯାୟୀ ପ୍ରବଳ ବର୍ଷା ବଳୟ ଉପକୂଳକୁ ଛୁଇଁଛି।

ବାତ୍ୟା ପ୍ରଭାବରେ ବିଶାଖାପାଟଣା, ଅନକାପାଲ୍ଲୀ, ବିଜିଆନଗରମ୍, ଶ୍ରୀକାକୁଲମ୍, କାକିନାଡା ଏବଂ ଡକ୍ଟର ବି.ଆର. ଆମ୍ବେଦକର କୋଣସୀମା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ବିଶାଖାପାଟଣାରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୮୪,୦୦୦ରୁ ଅଧିକ ଲୋକଙ୍କୁ ୨୯୦ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଝଡ଼ତୋଫାନ ଯୋଗୁଁ ରେଳ ଓ ବିମାନ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ସମୁଦ୍ରରେ ୧.୫ରୁ ୨.୫ ମିଟର ଉଚ୍ଚ ଜୁଆର ଉଠି କାକିନାଡା, ୟାନାମ ଓ ଗୋଦାବରୀ ନଦୀ ମୁହାଣ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା କ୍ରମଶଃ ଦୁର୍ବଳ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।