କାଲି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅର୍ଣ୍ଣବ’, ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ପାଇଁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ୱର: ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ଘୂର୍ଣ୍ଣିବଳୟ ବା ବାତ୍ୟା ‘ଅର୍ଣ୍ଣବ’ ପୂର୍ବ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି। ଆସନ୍ତା ଅକ୍ଟୋବର ୨୮ ବୁଧବାର ସକାଳେ ଏହା ବାପାଟ୍ଲା ଏବଂ ବିଶାଖାପାଟଣା ମଧ୍ୟରେ ୟାନାମ (କାକିନାଡ଼ା ନିକଟରେ) ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ବାତ୍ୟା ବଙ୍ଗୋପସାଗରରେ ଘନୀଭୂତ ହେଉଛି ଏବଂ ଏହା ବିଶାଖାପାଟଣାଠାରୁ ପ୍ରାୟ ୨୬୦ ରୁ ୩୦୦ କିଲୋମିଟର ଏବଂ କାକିନାଡ଼ା ଠାରୁ ୩୦୦ କିଲୋମିଟର ଦୂରରେ ରହିଛି।
ଅକ୍ଟୋବର ୨୮ ତାରିଖ ସକାଳେ ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବ ଏବଂ ସର୍ବାଧିକ ବେଗ ଘଣ୍ଟାପ୍ରତି ୧୩୫ ରୁ ୧୫୦ କିଲୋମିଟର ଛୁଇଁପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ ରୁ ୮୦ କିଲୋମିଟର ଏବଂ ଉତ୍ତର ଓଡ଼ିଶାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ପ୍ରବଳ ପବନ ଯୋଗୁଁ ଛିଡ଼ା ହୋଇଥିବା ଫସଲ (ବିଶେଷ କରି ଧାନ), ବଡ଼ ଗଛ ଉପୁଡ଼ିବା ସହିତ ରେଳ, ବିମାନ ଏବଂ ସଡ଼କ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଓଡ଼ିଶାର ଅଧିକ ବିପଦସଙ୍କୁଳ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅକ୍ଟୋବର ୨୯ ପରେ ବାତ୍ୟା କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ୍ ଏକ ଗଭୀର ଅବପାତରେ ପରିଣତ ହେବ ଏବଂ ଅକ୍ଟୋବର ୩୦ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଏକ ଲଘୁଚାପର ରୂପ ନେବ। ଅକ୍ଟୋବର ୩୦ ତାରିଖ ପରେ ସିଷ୍ଟମ୍ ସ୍ଥଳଭାଗ ଆଡ଼କୁ ଅଗ୍ରସର ହୋଇ ନିଶ୍ଚିହ୍ନ ହେବା ସହ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଯଥେଷ୍ଟ ହ୍ରାସ ପାଇବ। ତେଣୁ ଉପକୂଳ ଓ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି।