ବ୍ରହ୍ମପୁର ଏମକେସିଜିରେ ବିରଳ ଘଟଣା: ଦୁଇଟି ମୁଣ୍ଡ ଥିବା ଶିଶୁର ଜନ୍ମ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ (MKCG) ଠାରେ ଏକ ବିରଳ ଶିଶୁ ଜନ୍ମ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜଣେ ମହିଳା ଏହି ବିରଳ ଦୁଇ ମୁଣ୍ଡିଆ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁଟିର ୨ଟି ମୁଣ୍ଡ, ୨ଟି ହାତ, ୨ଟି ଗୋଡ଼, ୨ଟି ମେରୁଦଣ୍ଡ କିନ୍ତୁ ପେଟ ଓ ହୃଦୟ ଗୋଟିଏ । ଅର୍ଥାତ ଗୋଟିଏ ଶରୀର ଏବଂ ଗୋଟିଏ ହୃଦୟ ଥିବା ବେଳେ ଦୁଇଟି ସମ୍ପୂର୍ଣ୍ଣ ବିକଶିତ ମୁଣ୍ଡ ରହିଛି ।

ବର୍ତ୍ତମାନ ଶିଶୁଟିକୁ ମେଡିକାଲ କଲେଜର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର ବା ଏସଏନସିୟୁ (SNCU) ରେ ରଖାଯାଇଛି। ସେଠାରେ ଡାକ୍ତରୀ ଟିମ୍‌ଙ୍କ କଡ଼ା ନଜରରେ ଶିଶୁଟିର ଚିକିତ୍ସା ଜାରି ରହିଛି। ଚିକିତ୍ସା ବିଜ୍ଞାନରେ ଏଭଳି ଘଟଣା ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ।

ବର୍ତ୍ତମାନ ଏହି ଶିଶୁଟିକୁ ଉନ୍ନତ ଧରଣର ଏସଏନସିୟୁ ସୁବିଧାରେ ନିରନ୍ତର ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଶିଶୁଟିର ଶ୍ୱାସକ୍ରିୟା, ରକ୍ତ ସଞ୍ଚାଳନ ତଥା ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକ୍ଷମତା ଯାଞ୍ଚ କରିବା ପାଇଁ ଆବଶ୍ୟକୀୟ ପରୀକ୍ଷାନିରୀକ୍ଷା ଜାରି ରହିଛି । ସେପଟେ ପ୍ରସୂତି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।