ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ । ଡ୍ରୋନ୍ରେ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରାଯାଇଥିବା ସନ୍ଦେହ। ବାରମ୍ବାର କଟକଣା ଏବଂ ଚେତାବନୀ ସତ୍ତ୍ୱେ ପୁରୀର ପ୍ରସିଦ୍ଧ ଦ୍ୱାଦଶ ଶତାବ୍ଦୀର ଶ୍ରୀଜଗନ୍ନାଥ ମନ୍ଦିର ଉପରେ ପୁଣି ଥରେ ଏକ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ନଜର ଆସିଥିଲା। ଏହି ଡ୍ରୋନ୍ ମାଧ୍ୟମରେ ମନ୍ଦିରର ଭିଡିଓ ସଂଗ୍ରହ କରାଯାଉଥିବା ସନ୍ଦେହ କରାଯାଉଛି। ତେବେ ଏହି ଡ୍ରୋନ୍ କିଏ ଏବଂ କେଉଁଠାରୁ ଉଡ଼ାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ପୂର୍ବରୁ ନୋ-ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ତଥାପି ଏଭଳି ଘଟଣା ପ୍ରଥମ ନୁହେଁ। ଅତୀତରେ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବାର ନଜିର ରହିଛି। ବାରମ୍ବାର ଏହି ନିୟମର ଉଲ୍ଲଂଘନ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଭବିଷ୍ୟତରେ ଯେପରି କେହି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ, ସେଥିପାଇଁ ତୁରନ୍ତ ମନ୍ଦିର ପରିସରରେ ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି ସ୍ଥାପନ କରିବାକୁ ଶ୍ରଦ୍ଧାଳୁମାନେ ଦୃଢ଼ ଦାବି କରିଛନ୍ତି।