ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୨ ନାବାଳକ ନିଖୋଜ

ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡ଼ି ୨ ନାବାଳକ ନିଖୋଜ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶେଖାବାଦ ନିକଟରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉଦ୍ବେଗ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ହୋଇଥିବା ଦୁଇ ନାବାଳକ ହେଲେ ଝାଡ଼େଶ୍ୱରପୁର ଅଞ୍ଚଳର ୧୫ ବର୍ଷୀୟ ସମସେଦ ଏବଂ ଖଡ଼ଗପୁର ଅଞ୍ଚଳରୁ ନିଜ ସାଙ୍ଗ ଘରକୁ ବୁଲିବାକୁ ଆସିଥିବା ୧୧ ବର୍ଷୀୟ ଜିସାନ। ରିପୋର୍ଟ ଅନୁସାରେ, ଝାଡ଼େଶ୍ୱରପୁର ଅଞ୍ଚଳର ମୋଟ ୫ ଜଣ ନାବାଳକ ଏକାଠି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଅଚାନକ ଦୁଇ ଜଣ ଗଭୀର ପାଣିକୁ ସୁଅରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଅନ୍ୟ ୩ ଜଣ ନାବାଳକ କୌଣସିମତେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଜଳେଶ୍ୱର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଉଦ୍ଧାରକାରୀ ଦଳ ପକ୍ଷରୁ ନିଖୋଜ ଦୁଇ ନାବାଳକଙ୍କୁ ଠାବ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଏହି ଅଘଟଣକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି।