ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ଏହି ଐତିହାସିକ ବିଜୟ ପାଇଁ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ସୋସିଆଲ୍ ମିଡିଆ ଏକ୍ସ (X) ରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଦଳର ଚମତ୍କାର ପ୍ରଦର୍ଶନ, କଠିନ ପରିଶ୍ରମ ଏବଂ ଦୃଢ଼ ନିଶ୍ଚୟକୁ ପ୍ରଶଂସା କରିଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ସମଗ୍ର ଦେଶ ପାଇଁ ଗର୍ବ ଆଣିଦେଇଛି। ‘ଓଡ଼ିଶା ସରକାର ସର୍ବଦା ଭାରତୀୟ ହକି ସହ ମଜବୁତ ଭାବେ ଠିଆ ହୋଇଛନ୍ତି ଏବଂ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ’ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି।

ଶୁକ୍ରବାର ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିୟନ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଏହି ବିରାଟ ସଫଳତା ହାସଲ କରିଛି। ଆଇଚି-ନାଗୋୟା ଗେମ୍ସରେ ଏହି ବିଜୟ ସହ ଭାରତୀୟ ମହିଳା ହକି ଦଳ ୪ ଦଶନ୍ଧିରୁ ଅଧିକ ବ୍ୟବଧାନ ପରେ ପୁଣି ଥରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରି ପାରିଛି।

ଏହି ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ କେବଳ ଦେଶକୁ ଗର୍ବିତ କରିନାହିଁ, ବରଂ ଆଗାମୀ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳକୁ ସିଧାସଳଖ ଯୋଗ୍ୟତା ମଧ୍ୟ ପ୍ରଦାନ କରିଛି। ଏହି ସଫଳତା ପରେ ସାରା ଦେଶରୁ ଦଳ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି।