ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ପ୍ରତିବର୍ଷ ମହାପ୍ରଭୁ ଲିଙ୍ଗରାଜ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯାଇଥାନ୍ତି` ଆଉ ସାଙ୍ଗରେ ଥାନ୍ତି ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ପ୍ରତି ଥର ଭଳି ଏଥର ମଧ୍ୟ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ। ଏନେଇ ମଧ୍ୟରାତ୍ରିରୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହୋଇଥିଲା । ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ହୋଇଥିଲା । ତେବେ ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ସ୍ଵୟଂ ଲିଙ୍ଗରାଜ ମନ୍ଦିରରୁ ବାହାରି ମାଉସୀ ମା’ ମନ୍ଦିର ଅଭିମୁଖେ ଆସିଥାନ୍ତି । ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା ସମୟରେ ଗୋଟି ପୁଅ, ଓଡ଼ିଶୀ, ଯୋଡ଼ି ଶଙ୍ଖ, ପଶୁମୁଖା ଆଦି ପାରମ୍ପରିକ ବାଦ୍ୟରେ କମ୍ପିଛି ପରିବେଶ ।

ଏବେ ଜାଣିବା ଏହି ଅଶୋକା ଅଷ୍ଟମୀ ପାଳନ କରିବାର କଣ ରହିଛି ପୌରାଣିକ ମାନ୍ୟତା। ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ଏଥିମଧ୍ୟରୁ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ରୁ ଏହାକୁ ”ଅଶୋକାଷ୍ଟମୀ” କୁହାଯାଏ।ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମାନ୍ୟତା ରହିଛି ଯେ ତ୍ରେତୟା ଯୁଗରେ ଲଙ୍କାପତି ରାବଣ ଦେବୀ ସୀତାଙ୍କୁ ହରଣ କରି ନେବା ପରେ ଅଶୋକ ବନରେ ରଖିଥିଲେ । ଯେଉଁଠାରେ ମା ସୀତା ଭଗବାନ ରାମଙ୍କୁ ଅପେକ୍ଷା କରି ରହିଥିଲେ। ସେହି ଅଶୋକ ବନରେ ସୀତା ମାତାଙ୍କୁ ଭେଟି ହନୁମାନ ତାଙ୍କୁ ରାମଙ୍କ ମୁଦ୍ରିକା ମଧ୍ୟ ଦେଇ ଯଥାଶୀଘ୍ର ଭଗବାନ ତାଙ୍କ ନିକଟରେ ପହଞ୍ଚିବାର ସଂକେତ ଦେଇଥିଲେ। ମା ସୀତା ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ୱରୂପା। ତେଣୁ ଅଶୋକାଷ୍ଟମୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ଜୀବନରୁ ଦୁଃଖ ଦୂର ହେବା ସହ ଲକ୍ଷ୍ମୀନାରାୟଣ ଏବଂ ଭଗବାନ ଶଙ୍କରଙ୍କର ବିଶେଷ କୃପା ଲାଭ ହୋଇଥାଏ। ଏହି ସମୟରେ ରଥରେ ବାସୁଦେବ, ରୁକୁଣା ଏବଂ ଲିଙ୍ଗରାଜ ଯାତ୍ରା କରିଥାନ୍ତି। ଉଲ୍ଲେଖ ଅନୁଯାୟୀ ଏହି ଯାତ୍ରା କେବଳ ଏକାମ୍ର କ୍ଷେତ୍ରର ଶୈବ ପୀଠରେ ହିଁ ପାଳନ କରାଯାଏ।
