ଭାରତ ଶାସନର ସଂକଳ୍ପପତ୍ର ”ସମ୍ବିଧାନ” ଦେଶ-ବିଦେଶ By Lopa Last updated Nov 28, 2024 Share ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ ସମ୍ବିଧାନ। ଏହାକୁ ପୃଥିବୀର ସର୍ବୋତ୍ତମ ସମ୍ବିଧାନ ଭାବେ ମଧ୍ୟ ଗଣନା କରାଯାଏ। ୨୬ ଜାନୁୟାରୀ ୧୯୫୦ ମସିହାରେ ଏହି ସମ୍ବିଧାନ ଲାଗୁ ହୋଇଥିଲା। ଆଉ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ବାବାସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କୁ ଭାରତର ସମ୍ବିଧାନ ନିର୍ମାତା କୁହାଯାଏ। ସମ୍ବିଧାନର ଡ୍ରାଫ୍ଟିଂ କମିଟିର ସେ ଅଧ୍ୟକ୍ଷ ଥିଲେ। ତାଙ୍କୁ ସମ୍ବିଧାନର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ୨ବର୍ଷ, ୧୧ମାସ ଓ ୧୮ଦିନ ସମୟ ଲାଗିଥିଲା। ତେବେ ସାରା ଦେଶରେ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଓ ୨୬ ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ହେଲେ ଆପଣ ଜାଣନ୍ତି କି, ଆମ ସମ୍ବିଧାନର କିଛି ବିଶେଷତ୍ୱ ରହିଛି। ସେହି ମହାନ ସମ୍ବିଧାନ ସମ୍ପର୍କରେ କିଛି ଜାଣିନେବା…… ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ ପରିଧାନ ଆଦି ବହୁ ବିଭିନ୍ନତାରେ ଭରପୂର ଭାରତବର୍ଷକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରେପକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଢ଼ିବା ସହିତ ଏହାର ସମସ୍ତ ନାଗରିକମାନଙ୍କୁ ଆର୍ଥିକ, ସାମାଜିକ ଓ ରାଜନୀତିକ ନ୍ୟାୟ ପ୍ରଦାନ କରିବାର ସଂକଳ୍ପ ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ଭାବନା, ଅଭିବ୍ୟକ୍ତି, ଆସ୍ଥା, ବିଶ୍ୱାସ ଓ ପୂଜନର ସ୍ୱାଧୀନତା ସହିତ ସୁଯୋଗ ଓ ସ୍ଥିତିର ସମାନତା ପ୍ରଦାନ କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ବ୍ୟକ୍ତିଗତ ମର୍ଯ୍ୟାଦାର ସୁରକ୍ଷା ସହିତ ଭ୍ରାତୃତ୍ୱର ବନ୍ଧନରେ ଆବଦ୍ଧ କରି ରଖିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ସର୍ବୋପରି ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ଚଳିତ ବର୍ଷ ସମ୍ବିଧାନ ଦିବସର ଶୀର୍ଷଭାବ ହେଉଛି ‘ଆମ ସମ୍ବିଧାନ, ଆମ ସମ୍ମାନ’ (ହମାରା ସମ୍ବିଧାନ, ହମାରା ସମ୍ମାନ)। ୨୦୨୪ ଜାନୁଆରୀ ୨୪ ତାରିଖରେ ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି ଭାରତର ଉପରାଷ୍ଟ୍ରପତି। ଏହି ଅଭିଯାନ ଜରିଆରେ ଭାରତ ପ୍ରତି ଘରେ ସମ୍ବିଧାନର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଜରିଆରେ ସମ୍ବିଧାନ ସଚେତନତା, ମୌଳିକ ଅଧିକାର ସଚେତନତା, ବୈଧାନିକ ଉତ୍ତରଦାୟିତ୍ୱ ସଚେତନତା ସହିତ ସଭିଙ୍କୁ ନ୍ୟାୟ ପ୍ରତି ଘରେ ନ୍ୟାୟ, ନବ ଭାରତ ନବ ସଂକଳ୍ପ ସଂପର୍କରେ ଜାଗରଣ ସୃଷ୍ଟି କରାଯିବ। ଭାରତର ସମ୍ବିଧାନକୁ ଅନେକ ସମାଲୋଚକ ଏକ ଉଧାରି ସମ୍ବିଧାନ ଭାବେ ବର୍ଣ୍ଣନା କରିଥାନ୍ତି। ଏହା ଏଇଥିପାଇଁ ଯେ ଏଥିରେ ବିଶ୍ୱର ପ୍ରାୟ ସବୁ ସଫଳ ଗଣତନ୍ତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଉପାଦେୟ ବ୍ୟବସ୍ଥା ସନ୍ନିହତ କରାଯାଇଛି। ବ୍ରିଟିଶ ପରମ୍ପରାରୁ ଆମ ସମ୍ବିଧାନ ନାମମାତ୍ର ରାଷ୍ଟ୍ରମୁଖ୍ୟ, ପ୍ରଧାନମନ୍ତ୍ରୀ ମୂଳକ ଶାସନ, ସଂସଦୀୟ ଗଣତନ୍ତ୍ର, ଶକ୍ତିଶାଳୀ ନିମ୍ନ ସଦନ, କ୍ୟାବିନେଟ୍, ଆଇନର ଶାସନ ବ୍ୟବସ୍ଥା ଆଦି ଗ୍ରହଣ କରିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନରୁ ସଂଘୀୟ ବ୍ୟବସ୍ଥା, ମୌଳିକ ଅଧିକାର, ଲିଖିତ ସମ୍ବିଧାନ, ସ୍ୱାଧୀନ ନ୍ୟାୟପାଳିକା, ସୁପ୍ରିମ କୋର୍ଟ, ରାଷ୍ଟ୍ରପତିଙ୍କ ବହିଷ୍କାର ଆଦି ବ୍ୟବସ୍ଥା ଗ୍ରହଣ କରାଯାଇଛି। ‘ଆମେ ସମସ୍ତେ ଭାରତୀୟ, ପ୍ରଥମତଃ ଏବଂ ଶେଷତଃ।’ – ଡକ୍ଟର ବିଆର ଆମ୍ବେଦକର bhartaconstitution dayIndiasambhidhansambidhan divas Share FacebookTwitterGoogle+ReddItWhatsAppPinterestEmail