କଟକରେ ପ୍ରଥମେ କିଏ ଆରମ୍ଭ କରିଥିଲେ ଦୁର୍ଗାପୂଜା ?

କଟକ ଦୁର୍ଗାପୂଜା ଇତିହାସ

କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ ପୂଜା ପରମ୍ପରା ଏହାର ଦୁଇ ଶତାବ୍ଦୀ ପରେ କଟକରେ ଆରମ୍ଭ କରାଯାଇଥିଲା। ଚୈତନ୍ୟଦେବ ଓଡ଼ିଶାରେ ପାଦ ଦେବା ପରେ କଟକ ସହରରେ ଶାରଦୀୟ ପୂଜାର ଭିତ୍ତି ପଡ଼ିଥିବା ଅନୁମାନ କରାଯାଏ। ୧୫୧୦ରେ ଚୈତନ୍ୟଦେବଙ୍କ ସହ ଓଡ଼ିଆ ଆସିଥିବା ବାନାର୍ଜୀ ପରିବାର ପ୍ରଥମେ ଏଠାରେ ଦୁର୍ଗାଦେବୀଙ୍କ ପୂଜା ଆରମ୍ଭ କରିଥିଲେ। ବିନୋଦବିହାରୀରେ ଆରମ୍ଭ ହୋଇଥିଲା ଦେବୀଙ୍କ ଘଟପୂଜା। ୧୫୧୪ରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ାଯାଇ ଦେବୀ ଉପାସନା କରାଗଲା। ଏହାର ଦୁଇ ଶତାବ୍ଦୀ ପରେ ମାଛୁଆ ବଜାରରେ ଦେବୀଙ୍କ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା।

ସେହିପରି କଟକର ଆଉ ଗୋଟିଏ ପ୍ରାଚୀନ ପୂଜା ମଣ୍ଡପ ହେଉଛି ଵକ୍ସି ଵଜାରର ସର୍ପା ଦୁର୍ଗା। ଵଙ୍ଗୀୟ ଜମିଦାର ସ୍ବରୂପ ଚନ୍ଦ୍ର ଦାସ ୧୭୫୨ ମସିହାରେ ଏହି ଠାରେ ମା’ଙ୍କର ଶାରଦୀୟ ପୂଜା ଆରମ୍ଭ କରିଥିଲେ। ଏହି ମଣ୍ଡପରେ ମା’ଙ୍କର ଏଭଳି ପ୍ରତ୍ୟକ୍ଷତା ରହିଛି ଯେ,ପରିଵାରର ଲୋକେ ଓ ସମ୍ପର୍କୀୟ ମାନେ ଦେଶ ବାହାରେ ଥିଲେ ଵି ଶାରଦୀୟ ଦୁର୍ଗା ପୂଜା ବେଳେ କଟକରେ ପହଞ୍ଚିନ୍ତି। ଏପରିକି କୋଲକାତା ଦଶହରାର ଚମକ୍ ଛାଡି ଵଙ୍ଗୀୟ ଶ୍ରଦ୍ଧାଳୁ ମାନେ ଏହି ମଣ୍ଡପରେ ପୂଜା କରିଵା ପାଇଁ ଆସିଥାଆନ୍ତି।ସମ୍ପୂର୍ଣ୍ଣ ଵଙ୍ଗୀୟ ରିତୀନୀତିରେ ଏହି ମଣ୍ଡପରେ ପୂଜା ହେଉଥିବା ବେଳେ, ଏଠିକାର ମୂର୍ତ୍ତିକାର ମାନେ ଦୀର୍ଘ ୨୭୧ଵର୍ଷ ହେବ ଵଂଶାନୁକ୍ରମିକ ଭାବେ ଏହି ମଣ୍ଡପରେ ମୂର୍ତ୍ତି କାମ କରିଆସୁଛନ୍ତି।

୧୯୦୦ ମସିହା ପୂର୍ବରୁ କଟକ ସହରରେ ୫/୬ଟି ଦୁର୍ଗାମେଢ଼ ସାଙ୍ଗକୁ ୧୦ଟି ଅନ୍ୟ ମେଢ଼ କରାଯାଉଥିଲା, ଯାହା ଏବେ ବୃଦ୍ଧି ପାଇ ଶହେ ଟପିଲାଣି। କିନ୍ତୁ ବିନୋଦବିହାରୀ ସର୍ବପୁରାତନ ପୂଜା ମଣ୍ଡପ ହୋଇଥିବାରୁ ଏହାକୁ ସହରର ସବୁ ପୂଜା କମିଟି ଭିତରେ ବଡ଼ଭଉଣୀର ଆଖ୍ୟା ମିଳିଛି। ଏଠିକାର ପୂଜା ନୀତିକାନ୍ତି, ମେଢ଼ ଏବେ ବି ନିଜର ସ୍ୱାତନ୍ତ୍ର୍ୟତା ବଜାୟ ରଖିଆସିଛି। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ଯାଏ ଦୀର୍ଘ ୧୬ ଦିନ ଧରି କଟକର ବିଭିନ୍ନ ଶକ୍ତିପୀଠରେ ଦେବୀଙ୍କ ପୂଜାର୍ଚ୍ଚନା, ଉପଚାର, ବେଶ ଚାଲେ। ମୃଣ୍ମୟୀ ମୂର୍ତ୍ତି ଓ ଘଟ ସ୍ଥାପନ ପରେ ମହାସପ୍ତମୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦଶହରାର ଯାକଜମକ କଟକବାସୀଙ୍କୁ ଚଳଚଞ୍ଚଳ ଓ ଉତ୍ସବମୁଖର କରିଦିଏ।କଟକର ଦୁଇ ପ୍ରମୁଖ ଦେବୀ ହେଉଛନ୍ତି ମା’ ଗଡ଼ଚଣ୍ଡୀ ଓ କଟକଚଣ୍ଡୀ। ଶାରଦୀୟ ପୂଜାରେ ମା’ କଟକ ଚଣ୍ଡୀ ଷୋଡ଼ଶ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶ ଭିତରେ ରହିଛି ମା’ଙ୍କର ସିଂହବାହିନୀ, ରାଜରାଜେଶ୍ୱରୀ, ଭୁବନେଶ୍ୱରୀ, ତ୍ରିପୁର ଗୌରବୀ, ମାତଙ୍ଗୀ, ଉଗ୍ରତାରା, ଜୟଦୁର୍ଗା, ସିଦ୍ଧେଶ୍ୱରୀ, ଗାୟତ୍ରୀ, ହଂସବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହିଷମର୍ଦ୍ଦିନୀ।ଶାରଦୀୟ ଦୁର୍ଗାପୂଜାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଦଶହରାରେ ଅନେକ ବୈଚିତ୍ର୍ୟ ରହିଛି। ଶାରଦୀୟ ଅବକାଶରେ କେଉଁଠି ରାମଲୀଳା, ରାବଣପୋଡ଼ି ହୁଏ ତ ଅନ୍ୟ କେଉଁଠି ଶସ୍ତ୍ରପୂଜା, ଭାଇ ଜିଉଁତିଆ ବା ଦୁର୍ଗାବ୍ରତ ପାଳନ କରାଯାଏ। ସେହିପରି ପଶ୍ଚିମ ଓଡ଼ିଶାରେ ଛତର ଯାତ୍ରା, ଢେଙ୍କାନାଳର ଭୁବନରେ ବଳଦଯାତ୍ରା, କୋରାପୁଟ ଜିଲ୍ଲା ଜୟପୁରରେ ଲାଠିଯାତ୍ରା, ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। କିଛି ସ୍ଥାନରେ ଗୋସାଣି ଯାତ୍ରା, ଦସାୟେଁ ନୃତ୍ୟ ଚାଲେ।