ରାଜ୍ୟରେ ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ ରାଜ୍ୟର ୨୦,୧୨,୫୫୭ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟିଛି। ଆଜି ଦେଶର ୪ଟି ରାଜ୍ୟ ଯଥା ଓଡ଼ିଶା, ମିଜୋରାମ, ମଣିପୁର, ସିକିମ୍ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ଭୋଟର ତାଲିକାରୁ ନାମ କଟିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି। ୪ଟି ରାଜ୍ୟରେ ୨୨,୫୫,୧୨୦ ଜଣଙ୍କ ନାମ କଟିଥିବାବେଳେ ଏଥିରେ ଓଡ଼ିଶାରୁ କେବଳ ୨୦.୧୨ ଲକ୍ଷ ଭୋଟର ଅଛନ୍ତି। ଅନ୍ୟ ତିନିଟି ରାଜ୍ୟ ତୁଳନାରେ ଓଡ଼ିଶାରେ ଯଦିଓ ଅଧିକ ଭୋଟର ଅଛନ୍ତି, କିନ୍ତୁ ମୋଟ୍ ଭୋଟରଙ୍କର ୬.୦୨% ନାମ କଟିଛି। ମଣିପୁରରେ ୭.୫%, ମିଜୋରାମରେ ୫.୨% ଏବଂ ସିକିମ୍ରେ ୮% ଭୋଟରଙ୍କ ନାମ ଚିଠା ତାଲିକାରେ ନାହିଁ।
ଆଜି ଏ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍.ଏସ୍ ଗୋପାଳନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୩,୩୩,୯୯,୫୯୧ ଜଣ ଭୋଟର ଥିବାବେଳେ ଏଥିରୁ ୩,୧୩,୮୭,୦୩୪ ଜଣ (୯୩.୯୭%) ଭୋଟର ସେମାନଙ୍କର ପରିଗଣନା ଫର୍ମ ଦାଖଲ କରିଛନ୍ତି। ସେହିମାନଙ୍କ ନାମ ଏବେ ଚିଠା ଭୋଟର ତାଲିକାରେ ପ୍ରକାଶ ପାଇଛି। ଏଥିରେ ୧,୬୦,୧୯,୧୭୬ ଜଣ ପୁରୁଷ ଭୋଟର, ୧,୫୩,୬୫,୦୮୩ ଜଣ ମହିଳା ଭୋଟର ଥିବାବେଳେ ୨୭୭୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଯେଉଁ ୨୦.୧୨ ଲକ୍ଷ ଭୋଟର ପରିଗଣନା ଫର୍ମ ଦାଖଲ କରିନାହାନ୍ତି ସେମାନଙ୍କ ମଧ୍ୟରୁ ୮.୩୨ ଲକ୍ଷ (୨.୪୯%) ମୃତ ଭୋଟର ବୋଲି ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନାନ୍ତରିତ, ଅନୁପସ୍ଥିତ ଭୋଟରଙ୍କ ସଂଖ୍ୟା ୧୦.୦୭ ଲକ୍ଷ (୩.୦୨%) ଭୋଟର।
ଏହି ଭୋଟରମାନେ ତାଙ୍କ ଘରେ ନାହାନ୍ତି, ସେମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଛନ୍ତି। ସେହିପରି ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜୀକୃତ େହାଇଥିବା ଭୋଟରଙ୍କ ସଂଖ୍ୟା ହେଉଛି ୧.୫୮ ଲକ୍ଷ (୦.୪୭%)। ଏହି ଭୋଟରମାନଙ୍କର ଏକାଧିକ ସ୍ଥାନରେ ନାମ ଥିବାବେଳେ ଏବେ ଗୋଟିଏ ସ୍ଥାନରେ ନାମ ରହିବ। ଏହାବାଦ୍ ୦.୧୪ ଲକ୍ଷ (୦.୦୪%) ଭୋଟର ଅନ୍ୟ କାରଣ ପାଇଁ ତାଲିକାରୁ ବାଦ୍ ପଡ଼ିଛନ୍ତି। ଯେଉଁମାନଙ୍କର ଭୋଟର ତାଲିକାରେ ନାମ ନାହିଁ ସେମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ଦାବି ଓ ଆପତ୍ତି ମାଧ୍ୟମରେ ତାଙ୍କ ନାମ ଭୋଟର ତାଲିକାରେ ଯୋଡ଼ିପାରିବେ। ଏଥିପାଇଁ ବିଏଲ୍ଓମାନଙ୍କୁ ଏକ ଫର୍ମ ପୂରଣ କରି ଦେବାକୁ ପଡ଼ିବ। ଏହାକୁ ତୁରନ୍ତ ସମାଧାନ କରାଯିବ। ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ଅଭିଯୋଗର ଶୁଣାଣି କରାଯିବ। ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଏହାସହ ଶ୍ରୀ ଗୋପାଳନ କହିଛନ୍ତି ଯେ ୧୯.୦୫.୨୦୨୬ ସୁଦ୍ଧା ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବାକୁ ବିଏଲ୍ଓମାନେ ଘରକୁ ଘର ପରିଦର୍ଶନ କରିଥିଲେ। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ତାହାକୁ ଧ୍ୟାନ ରଖାଯାଇଥିଲା। ଏଥିପାଇଁ ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ସନ୍ଧାନ ମିଳିନଥିବା କିମ୍ବା ଯେଉଁମାନଙ୍କର ଫର୍ମ ପ୍ରାପ୍ତ ହୋଇନଥିଲା ସେହି ଭୋଟରମାନଙ୍କର ବୁଥ୍ଭିତ୍ତିକ ତାଲିକା ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ଦ୍ବାରା ନିଯୁକ୍ତ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କର ଯାଞ୍ଚ ନିମନ୍ତେ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଏସ୍ଆଇଆର୍ ପ୍ରକ୍ରିୟାରେ ୩୦ଟି ଜିଲ୍ଲାରେ ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୪୭ ଜଣ ଇଆର୍ଓ, ୯୯୪ ଜଣ ଏଇଆର୍ଓ, ୪୫୪୦ ଜଣ ବିଏଲ୍ଓ ସୁପରଭାଇଜର, ୪୫,୨୫୦ ଜଣ ବିଏଲ୍ଓ, ୭ଟି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ୮୪,୫୯୪ ଜଣ ବିଏଲ୍ଏ ନିେୟାଜିତ ହୋଇଥିଲେ।