ପ୍ରେମ ପାଇଁ ହତ୍ୟା, ମାରପିଟ୍ ଏବଂ ଅନରକିଲିଂ ଭଳି ଘଟଣାର ଆପଣ ଅନେକ ଥର ନ୍ୟୁଜରେ ଦେଖୁଥିବେ ଏବଂ ପଢୁଥିବେ। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ରହିଛି। ଅନେକ କ୍ଷେତ୍ରରେ ପ୍ରେମୀଯୁଗଳ ସୁରକ୍ଷା ପାଇଁ ହାଇକୋର୍ଟକୁ ମଧ୍ୟ ଯାଇଥାନ୍ତି। କେତେବେଳେ ସେମାନଙ୍କୁ ସୁରକ୍ଷା ମିଳେ, ତ ଅନ୍ୟ କେତେବେଳେ ସେମାନେ ଅସହାୟ ହୋଇ ଆତ୍ମହତ୍ୟା କରନ୍ତି। ଆମେ ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପ୍ରେମୀ ଯୁଗଳକୁ ସୁରକ୍ଷା ଦିଆଯାଏ। ତାହା କୌଣସି ଘର ବା ହୋଟେଲ ନୁହେଁ , ମହାଦେବଙ୍କ ମନ୍ଦିର।
କୁହାଯାଏ ପ୍ରେମୀ ଯୁଗଳଙ୍କୁ ଏହି ମନ୍ଦିରରେ ଆଶ୍ରୟ ଦିଆଯାଏ। ଘର ଛାଡି ଆସୁଥିବା ପ୍ରେମୀ ଯୁଗଳ ଏହି ମନ୍ଦିରରେ ବିବାହ କରିବା ସହ ସେମାନେ ଏଠାରେ ଆଶ୍ରୟ ନିଅନ୍ତି। ମନ୍ଦିରର ପୁରୋହିତମାନେ ସେମାନଙ୍କର ଯତ୍ନ ନିଅନ୍ତି। ପୁଲିସ ମଧ୍ୟ ଏଠାକୁ ଆସେ ନାହିଁ।
ହିମାଚଳ ପ୍ରଦେଶ କୁଲୁ ଜିଲ୍ଲାରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ପ୍ରେମୀ ଯୁଗଳ ସୁରକ୍ଷା ଏବଂ ଆଶ୍ରୟ ପାଆନ୍ତି। ମନ୍ଦିରର ଦେବତା ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଏବଂ ସୁରକ୍ଷା ଦେଇଥାଏ। ଏହି ମନ୍ଦିର ନାମ ହେଉଛି ଶାଙ୍ଗଚୁଲ ମହାଦେବ ମନ୍ଦିର।
ଏକ ବିଶ୍ୱାସ ଅଛି ଯେ, ଯେଉଁମାନେ ଘରୁ ପଳାୟନ କରନ୍ତି ଏବଂ ଯେଉଁମାନେ ସମାଜ ଏବଂ ପରିବାର ଦ୍ୱାରା ଗ୍ରହଣୀୟ ନୁହଁନ୍ତି, ସେମାନେ ଏଠାରେ ମହାଦେବଙ୍କ ଶରଣ ପଶିଥାନ୍ତି। ମହାଦେବ ସେମାନଙ୍କୁ ଆଶ୍ରୟ ଦିଅନ୍ତି।
କିମ୍ବଦନ୍ତୀ ଅନୁଯାୟୀ, ମନ୍ଦିରଟି ମହାଭାରତ ସମୟ ସହିତ ଜଡିତ। ଅଜ୍ଞାତବାସ ସମୟରେ ପାଣ୍ଡବମାନେ କିଛି ସମୟ ଏଠାରେ ରହିଥିଲେ। ସେମାନଙ୍କୁ ଅନୁସରଣ କରି କୌରବମାନେ ମଧ୍ୟ ଏଠାରେ ପହଞ୍ଚିଥିଲେ। ଶାଙ୍ଗଚୁଲ ମହାଦେବ କୌରବଙ୍କୁ ଅଟକାଇ ଥିଲେ ଏବଂ ପାଣ୍ଡବମାନଙ୍କୁ ଆଶ୍ରୟ ଦେଇଥିଲେ। ମହାଦେବଙ୍କ ଭୟ ଯୋଗୁଁ କୌରବଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା ।
କୁହାଯାଏ ଯେ, ବିବାହ କରିବାକୁ ମନ୍ଦିରକୁ ଆସୁଥିବା ପ୍ରେମୀ ଯୁଗଳଙ୍କୁ ଆତିଥି ସତ୍କାର କରାଯାଏ ଏବଂ ମନ୍ଦିରର ପୁରୋହିତମାନେ ସେମାନଙ୍କର ଯତ୍ନ ନିଅନ୍ତି। ଏଠାକାର ଲୋକମାନେ ପରମ୍ପରାକୁ ଅନୁସରଣ କରନ୍ତି। ପୋଲିସ ଏଠାକୁ ଆସିଲେ ମଧ୍ୟ ସେମାନଙ୍କୁ ବାରଣ କରାଯାଏ।