ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଅବସରରେ ଓଡ଼ିଶାରେ ଏବେ ହବିଷ ଡାଲମାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଧାର୍ମିକ ବିଧି ଅନୁଯାୟୀ ହବିଷ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପାରମ୍ପରିକ ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି। ପାରମ୍ପରିକ ମାଟି ହାଣ୍ଡି ରନ୍ଧା ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୁଡ୍ ଭିଡିଓ ପର୍ଯ୍ୟନ୍ତ, ସବୁଠି ଏହି ସ୍ୱତନ୍ତ୍ର ବ୍ୟଞ୍ଜନର ଚମକ ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ହବିଷ ଡାଲମା ପ୍ରସ୍ତୁତିର ବିଭିନ୍ନ ଭିଡିଓ ଏବେ ଟ୍ରେଣ୍ଡ କରୁଛି। ପନିପରିବାକୁ ସୁନ୍ଦର ଭାବେ କାଟି ମାଟି ହାଣ୍ଡିରେ ରାନ୍ଧିବା ଶୈଳୀ ଖାଦ୍ୟ ପ୍ରେମୀଙ୍କୁ ବେଶ୍ ଆକର୍ଷିତ କରୁଛି। ପବିତ୍ର କାର୍ତ୍ତିକ ମାସରେ ଅଧିକାଂଶ ପରିବାର ଆମିଷ ସହ ପିଆଜ ଓ ରସୁଣ ତ୍ୟାଗ କରିଥାନ୍ତି। ଏହି ସମୟରେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଏହି ସୁଆଦିଆ ଡାଲମା ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି। ବିଶେଷ କରି ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ମନ୍ଦିର ଗୁଡ଼ିକରେ ପ୍ରସାଦ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି।
କାର୍ତ୍ତିକ ଖାଦ୍ୟ ପରମ୍ପରାକୁ ନେଇ ବର୍ତ୍ତମାନ ଏକ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ହୋଇଛି। ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବେ ନିଜେ ହବିଷ ଡାଲମା ପ୍ରସ୍ତୁତ କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଲୀନା ଦାଶଙ୍କ କହିବା ଅନୁଯାୟୀ, ସୋମବାର ଓ ଗୁରୁବାର ଦିନ ହବିଷ ଡାଲମା ପାଇଁ ଅର୍ଡର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି। ଲୋକମାନେ ଘରେ ରୋଷେଇ କରିବା ଅପେକ୍ଷା ବାହାରୁ ପ୍ରସ୍ତୁତ ଖାଦ୍ୟ ମଗାଇବାକୁ ଅଧିକ ପସନ୍ଦ କରୁଛନ୍ତି।
ଭୁବନେଶ୍ୱରର ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ମନ୍ଦିରରେ ମଧ୍ୟ ଏହି ଚାହିଦା ଦେଖିବାକୁ ମିଳୁଛି। ଅନେକ ସଂସ୍ଥା ଏବେ ହୋମ୍ ଡେଲିଭରି ସେବା ଯୋଗାଇ ଦେଉଛନ୍ତି, ଯେଉଁଥିରେ ଅର୍ଡର କରିବାର ୩୦ ମିନିଟ୍ ମଧ୍ୟରେ ଖାଦ୍ୟ ଉପଲବ୍ଧ ହେଉଛି। ଏହି ସ୍ୱତନ୍ତ୍ର ମିଲ୍ର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ରଖାଯାଇଛି। ତେବେ ହୋମ୍ ଡେଲିଭରି କ୍ଷେତ୍ରରେ କିଛି ଅଧିକ ଶୁଳ୍କ ଦେବାକୁ ପଡୁଛି। ଚାହିଦା ଏତେ ଅଧିକ ରହୁଛି ଯେ, ଅନେକ ସ୍ଥାନରେ ଦିନ ୧ଟା ପରେ ଖାଦ୍ୟ ଉପଲବ୍ଧ ହେଉନାହିଁ, ଯେଉଁଥିପାଇଁ ଲୋକେ ଗୋଟିଏ ଦିନ ପୂର୍ବରୁ ଅର୍ଡର ବୁକ୍ କରୁଛନ୍ତି।