ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଚାଲିଛି ଭୋଟିଂ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଆଜି ନେତା ବାଛୁଛି କଲେଜ କ୍ୟାମ୍ପସ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ଚାଲିଛି ଭୋଟିଂ । ବିଭିନ୍ନ ପଦପଦବି ପାଇଁ ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ।

ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି, ଯାହା ଦିନ ୨ଟା ଯାଏ ଚାଲିବ ଭେଟ୍ । ଏହାପରେ ଗଣତି ହୋଇ ସଂଧ୍ୟାରେ ପ୍ରକାଶ ପାଇବ ଫଳ । ଶାନ୍ତି ଶୃଂଖଳାରେ ନିର୍ବାଚନ ପାଇଁ କ୍ୟାମ୍ପସରେ ପୋଲିସ ଛାଉଣୀ ରହିଛି । ତେବେ କିଛି କଲେଜ, ବିଶ୍ଵ ବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । କଲେଜରେ ମଇଦାନରେ ଅଛନ୍ତି ୬ ହଜାର ୫୩୩ ଜଣ ଓ ବିଶ୍ଵବିଦ୍ୟାଳୟରେ ୩୫୮ ଜଣ ପ୍ରାର୍ଥୀ । ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୪୫.୨ ପ୍ରତିଶତ ରହିଛି। କଲେଜସ୍ତରରେ ୮୨୮ ଜଣ ସଭାପତି ପ୍ରାର୍ଥୀ, ୬୯୭ ଜଣ ଉପସଭାପତି ପ୍ରାର୍ଥୀ। ୫୯୩ ଜଣ ସାଧାରଣ ସଂପାଦକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।

ଗତକାଲି ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ଦୁଇ ଛାତ୍ରଗୋଷ୍ଠୀ ହାତାହାତି ହୋଇଥିଲେ । ରଣକ୍ଷେତ୍ର ପାଲଟିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ । ରାଜ୍ୟର ଆହୁରି ଅନେକ କ୍ୟାମ୍ପସରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେଣୁ ଭୋଟ ଗ୍ରହଣକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।